କୋଲକାତା,ଏଜେନ୍ସି: ଦିଲ୍ଲୀ, ମୁମ୍ବାଇ, ନାଗପୁର, ପୁନେ, ଚେନ୍ନାଇ ଏବଂ ଅହମ୍ମଦାବାଦରୁ ଆସୁଥିବା କୌଣସି ବିମାନ ଜୁଲାଇ ୬ରୁ ୧୯ ମଧ୍ୟରେ କୋଲକାତାରେ ଅବତରଣ କରିବ ନାହିଁ ବୋଲି ଶନିବାର ଡାଇରେକ୍ଟରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍(ଡିଜିସିଏ) କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ କୋଲକାତା ବିମାନବନ୍ଦର ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ଯେ, ଦେଶର ୬ଟି ସହରରୁ ଆସୁଥିବା ବିମାନ କୋଲକାତାରେ ଅବତରଣ କରିବ ନାହିଁ। ଏହାପୂର୍ବରୁ କରୋନା ଭାଇରସ୍ ହଟ୍ସ୍ପଟ ଥିବା ଅତିକମ୍ରେ ୫ଟି ରାଜ୍ୟରୁ କୋଲକାତାକୁ ରେଳ ଏବଂ ବିମାନ ଚଳାଚଳ ବନ୍ଦ କରିବାକୁ କେନ୍ଦ୍ରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପକ୍ଷରୁ ଚିଠି ଲେଖାଯାଇଥିଲା।
ଶନିବାର ସକାଳ ସୁଦ୍ଧା ପଶ୍ଚିମବଙ୍ଗରେ ୨୦ହଜାର ୪୮୮ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬ହଜାର ୨୦୦ଟି ସକ୍ରିୟ କେସ୍ ରହିଛି। ତେଣୁ କରୋନା ମାମଲାକୁ ନିୟନ୍ତ୍ରଣରେ ରଖିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୁହାଯାଇଛି।