କେସିଙ୍ଗା,ଏନ୍ ଏନ୍ ଏସ୍: କଳାହାଣ୍ଡି ଜିଲ୍ଲା ଗମନାଗମନ କ୍ଷେତ୍ରରେ ବହୁ ଦିନର ଅଧୁରା ସ୍ୱପ୍ନ ସାକାର କରିଛି । ବହୁ ପ୍ରତୀକ୍ଷିତ ଉତକେଲା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ ହୋଇଛି । କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉତକେଲା ଏୟାରଷ୍ଟ୍ରିପର ଉଡ଼ାଣ ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଭୁବନେଶ୍ୱର ବିମାନବନ୍ଦରରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଣିଜ୍ୟ ଓ ପରିବହ ମନ୍ତ୍ରୀ ଟୁକୁନି ସାହୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଫଳରେ ଭୁବନେଶ୍ୱର ବିମାନ ବନ୍ଦରରୁ ୧୦ଟା ୩୦ରେ ଉତକେଲା ଅଭିମୁଖେ ପ୍ରଥମ ବିମାନ ବାହାରିଥିଲା ଯାହାକି ଉତକେଲା ବିମାନ ବନ୍ଦରରେ ୧୧ଟା ୨୦ମିନିଟରେ ପହଞ୍ଚିଥିଲା । ସେଥିରେ ପ୍ରଥମ ଯାତ୍ରୀଭାବେ ପୂର୍ବତନ ମନ୍ତ୍ରୀ ତଥା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ସମେତ ଅନ୍ୟ ଯାତ୍ରୀମାନେ ଯାତ୍ରା କରିଥିଲେ । ସମସ୍ତ ଯାତ୍ରୀଙ୍କୁ ଉତକେଲାରେ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ସଦର ବିଧାୟକ ପ୍ରଦୀପ୍ତ କୁମାର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲାପାଳ ପି.ଅନ୍ୱେଷା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ଓ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ମଞ୍ଚାସିନ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ରଖିଥିଲେ । କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ମଞ୍ଚ ପରିଚାଳନା କରିଥିବାବେଳେ ବିଜେଡି ଓ ବିଜେପିର ଅନେକ ଦଳୀୟ ନେତା ଓ କର୍ମୀଙ୍କ ସହ ବହୁ ସଂଖ୍ୟାରେ ସାଧାରଣ ଲୋକ ଓ ଏସଏଚଜି ମହିଳା ସାମିଲ ହୋଇଥିଲେ ।