ଦେବଗଡ଼,ଏନ୍ଏନ୍ଏସ୍: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅତିରିକ୍ତ ଦୌରାଜଜ ସନ୍ତୋଷ କୁମାର ନାୟକ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ଅନ୍ତର୍ଗତ ଖଇରରନ୍ଧା ଗ୍ରାମରେ ଗତ ୨୦୨୦ ମସିହାରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ସେହି ଗ୍ରାମର ମୁରଲୀ କିସାନ ବଳପୂର୍ବକ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ୬ ମାସର ଗର୍ଭବତୀ ହେବା ପରେ ଏନେଇ ମୁରଲୀକୁ କହିବାରୁ ସେ ଏହାକୁ ଏଡ଼ାଇ ଯାଇଥିଲା । ଏନେଇ ଗାଁ କମିଟିରେ ପୀଡ଼ିତା ଅଭିଯୋଗ କରିବା ପରେ ବୈଠକରେ ଅଭିଯୁକ୍ତ ଉପସ୍ଥିତ ନହୋଇ ନାବାଳିକା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲା । ଫଳରେ ନାବାଳିକା ଓ ତାଙ୍କ ପରିବାର ଗତ ୨୦୨୦ ଜୁନ ୯ ତାରିଖରେ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ରିଆମାଳ ଥାନା ପୁଲିସ ପକ୍ସ ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତ ମୁରଲୀକୁ ଜୁନ ୧୫ରେ ଗିରଫ କରି ଜୁନ ୧୬ରେ କୋର୍ଟ ଚାଲାଣ କରିଥିଲେ । ସେହିଦିନଠାରୁ ଅଭିଯୁକ୍ତ ବିଚାରଧୀନ ବନ୍ଦୀ ଭାବେ ରହିଥିଲା । ମାମଲାର ବିଚାର ଚାଲିଥିବାବେଳେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଆଜି ମାନ୍ୟବର ଅଦାଲତ ଅଭିଯୁକ୍ତ ମୁରଲୀ ଓ ଅନ୍ୟ ସହଯୋଗୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ପାଢ଼ୀ ଓ ଜନ୍ମଜୟ ପ୍ରଧାନ ମୋକଦ୍ଦମା ପରିଚାଳନା କରିଥିଲେ ।