ଉଡାଣ ଯୋଜନାରେ ଏସିଆ ମହାଦେଶର ସର୍ବବୃହତ ଏୟାରଷ୍ଟ୍ରିପରୁ ଉଡିବ ବିମାନ

ବାରିପଦା,ଏନ୍ଏନ୍ଏସ୍: ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡିରହିଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପରୁ ଏଥର ଉଡ଼ିବ ବିମାନ। କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ଏହି ବିମାନ ଉଡାଣ ଭରିବ। ଅନେକ ବର୍ଷ ଧରି ଏହି ଏୟାରଷ୍ଟ୍ରିପକୁ ପୁନଃଉଦ୍ଧାର ପାଇଁ ଦାବି କରି ଆସୁଥିଲେ ମୟୂରଭଞ୍ଜ ଜିଲ୍ଲାବାସୀ। ଏନେଇ ଏୟାର ଷ୍ଟ୍ରିପ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ୪ ଜଣିଆ ପ୍ରତିନିଧି ଦଳ। ସର୍ବିଶେଷ ରିପୋର୍ଟ ଏକ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରଦାନ କରିବେ ଏହି କେନ୍ଦ୍ରୀୟ ଟିମ।

ଦ୍ୱିତୀୟ ବିଶ୍ଵଯୁଦ୍ଧର ମୁକସାକ୍ଷୀ ତଥା ଏସିଆ ମହାଦେଶର ସର୍ବବୃହତ ଏୟାରଷ୍ଟ୍ରିପ ହେଉଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକରେ ଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ। ପାଖାପାଖି ୬୦୦ ଏକର ଜମିରେ ନିର୍ମିତ ଏହି ଏୟାରଷ୍ଟ୍ରିପକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସରକାର ୧୯୩୮ ମସିହାରେ ଆରମ୍ଭ କରି ୧୯୪୦ ମସିହାରେ ସମ୍ପୂର୍ଣ୍ଣ କରିଥିଲେ। ଏଥିପାଇଁ ସେ ସମୟରେ ଖର୍ଚ୍ଚ ହୋଇଥିଲା ତିନି କୋଟି ଟଙ୍କା।ଏବେ ଏହି ଅବହେଳିତ ଏୟାର ଷ୍ଟ୍ରିପରୁ ବିମାନ ଉଡିବା ନେଇ ଆଶା ଉଜ୍ଜୀବିତ ହୋଇଛି । ଏଥିପାଇଁ ସ୍ଥାନୀୟ ନେତୃବୃନ୍ଦ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ସରକାରଙ୍କୁ। ଅନ୍ୟପଟେ ଏହି ଏୟାର ଷ୍ଟ୍ରିପରୁ ବିମାନ ଉଡାଣ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ଏହା ସହ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୟୂରଭଞ୍ଜ ମହାରାଜା ତଥା ପୂର୍ବତନ କ୍ରୀଡାମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ।