ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ

ଚଣ୍ଡିଗଡ,ଏଜେନ୍ସି: କଂଗ୍ରେସ ପାଇଁ ପଞ୍ଜାବ ଅଡୁଆ ତୁଟୁନି। ଦଳର ବରିଷ୍ଠ ନେତ୍ରୀ ଅମ୍ବିକା ସୋନୀ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ମନା କରିଦେଇଛନ୍ତି। ଗାନ୍ଧୀ ପରିବାରର ଘନିଷ୍ଠ ଅମ୍ବିକା ପଞ୍ଜାବ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି। ଏହାସହ ବିଧାୟକ ଦଳର କୌଣସି ବୈଠକ ହେବ ନାହିଁ ବୋଲି ରାଜ୍ୟ କଂଗ୍ରେସ କମିଟିର ମହାସଚ୍ଚିବ ପରଗଟ୍ ସିଂ କହିଛନ୍ତି।

ସୂଚନା ଅନୁସାରେ, ପଞ୍ଜାବ କଂଗ୍ରେସରେ କନ୍ଦଳ ଏବେ ଉଗ୍ରରୂପ ଧାରଣ କରିଛି। କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ଶନିବାର ସନ୍ଧ୍ୟା ୫ରେ ହେବାକୁ ଥିବା ବିଧାୟକ ଦଳ ବୈଠକ ବସିଥିଲା। ହେଲେ କୌଣସି ନିଷ୍କର୍ଷ ବାହାରି ପାରିନଥିଲା।
ତେବେ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ସୁନୀଲ ଜାଖଡ଼ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କଂଗ୍ରେସ ଯୋଜନା କରୁଥିବା କୁହାଯାଉଥିଲା। ଏହାମଧ୍ୟରେ ଅମ୍ବିକାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ସେ ମନା କରିବା ପରେ ସସପେନ୍ସ ଏବେବି ଜାରି ରହିଛି।