ଆଜିଠୁ ଝାରସୁଗୁଡ଼ାରୁ ଆସାମ-ବିହାରକୁ ଉଡିବ ବିମାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଜିଠାରୁ ଜିଲ୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆସାମ ଓ ବିହାରକୁ ବିମାନ ସେବା ଆରମ୍ଭ ହେବ। ମହାମାରୀର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସ୍ପାଇସ ଜେଟ ବିମାନ ସେବା ଯୋଗାଇବ। ତେବେ ସ୍ପାଇସ ଜେଟର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି।

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି ଅର୍ଥାତ୍‌ ମେ’ ୧ ତାରିଖରୁ ଅମୃତସର, ପାଟନା ଓ ଗୌହାଟି ଝାରସୁଗୁଡ଼ା ସମେତ ପଶ୍ଚିମ ଓଡିଶାର ଯାତ୍ରୀମାନେ ସୁବିଧାରେ ଯାତାୟାତ କରିପାରିବେ। ତେବେ ଏ ସମ୍ପର୍କରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ କିଶୋଗ ସେନାପତି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ଉତ୍ତର-ପୂର୍ବ ଭାରତ ସହ ଆକାଶ ମାର୍ଗରେ ଝାରସୁଗୁଡ଼ା ତଥା ପଶ୍ଚିମ ଓଡ଼ିଶା ଯୋଡ଼ି ହେବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ମଧ୍ୟ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ସୂଚନା ଅନୁସାରେ ସ୍ପାଇସ ଜେଟ ୭୮ ସିଟ ବିଶିଷ୍ଟ ବିମାନ ପ୍ରତିଦିନ ଝାରସୁଗୁଡ଼ାରୁ ପାଟନାକୁ ଚଳାଚଳ କରିବ। ଏହି ବିମାନଟି ପଞ୍ଜାବର ଅମୃତସରରୁ ବାହାରି ବିହାରର ପାଟଣା ଦେଇ ଅପରାହ୍ର ୪ଟା ୨୦ମିନିଟରେ ଝାରସୁଗୁଡ଼ାକୁ ପହଞ୍ଚିବା ସହ ଅପରାହ୍ଣ ୪ଟା ୪୦ ମିନିଟରେ ପାଟନା ଅଭିମୁଖେ ଯାତ୍ରା କରିବ। ଏହାପରେ ପାଟନାରୁ ଏହି ବିମାନ ଆସାମର ଗୌହାଟି ଅଭିମୁଖେ ଉଡ଼ିବ। ଏହି ବିମାନ ବନ୍ଦରରୁ ବର୍ତ୍ତମାନ ଭୁବନେଶ୍ଵର, ରାୟପୁର, କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରୁଛି।