ସ୍ୱାମୀର ନିର୍ଯାତନା ସହିନପାରି ଟ୍ରେନ ଆଗକୁ ଡେଇଁ ସ୍ତ୍ରୀ ସମେତ ୫ ଝିଅ କଲେ ଆତ୍ମହତ୍ୟା

ନୂଆପଡା,ଏନ୍ଏନ୍ଏସ୍: ମଦ୍ୟପ ସ୍ୱାମୀଙ୍କ ଅକଥନୀୟ ନିର୍ଯାତନାର ଶିକାର ହୋଇ ଜଣେ ମହିଳା ଗତକାଲି ରାତିରେ ୫ ଝିଅଙ୍କ ସହ ଆତ୍ମହତ୍ୟା କରିଛନ୍ତି। ନୂଆପଡା ଜିଲ୍ଲା ସୀମାବର୍ତ୍ତୀ ଛତିଶଗଡ଼ର ମହାସାମୁଣ୍ଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ମା’ ଉମାଙ୍କ ସମେତ ଝିଅ ଅର୍ଣ୍ଣପୂନ୍ନା(୧୮), ଯଶୋଦା(୧୬), ଭୂମିକା(୧୪), କୁମକୁମ୍(୧୨), ତୁଳସୀ(୧୦) ଆତ୍ମହତ୍ୟା କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ, କେଜୁରାମ ସାହୁ ପ୍ରତିଦିନ ମଦ୍ୟପାନ କରି ଘରକୁ ଆସୁଥିଲେ। ଘରେ ଝଗଡା କରୁଥିଲେ। ସେ ତାଙ୍କ ପତ୍ନୀ ଓ ଝିଅମାନଙ୍କୁ ନିର୍ଯାତନା ଦେଉଥିଲେ। ପ୍ରତିଦିନର ନିର୍ଯାତନା ସହିନପାରି ମହିଳା ଜଣଙ୍କ ତାଙ୍କ ପାଞ୍ଚ ଝିଅଙ୍କ ସହ ଚାଲୁଥିବା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂଚନା ଅନୁସାରେ ଟ୍ରେନ୍ ଧକ୍କା ହେବା ପରେ ଉଭୟ ମୃତଦେହ ଖଣ୍ଡବିଖଣ୍ଡିତ ହୋଇଯାଇଛି। ପୋଷ୍ଟମର୍ଟମ ପାଇଁ ପୁଲିସ ମୃତଦେହକୁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି।