ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକରେ ଶ୍ରୀ ଗଣେଶ ପ୍ରାଥମିକ ମତ୍ସ୍ୟ ଖାଦ୍ୟ ଉତ୍ପାଦନ କାରଖାନା ଉଟଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା.କମଳ ଲୋଚନ ମିଶ୍ର ଯୋଗଦେଇ କାରଖାନାର ଉଦଘାଟନ କରିଥିଲେ । ଜିଲ୍ଲାରେ କିପରି ଭାବରେ ମାଛ ଖାଦ୍ୟ ଅଭାବ ଦୂର ହୋଇପାରିବ, ଚାଷୀମାନେ କିପରି ସ୍ଥାନୀୟ ମାଛ ଖାଦ୍ୟ ଅଳ୍ପ ଦାମରେ ପାଇବେ, ଅଳ୍ପ ପରିବହନ ଖର୍ଚ୍ଚରେ ଉପଲବ୍ଧ କରିପାରିବେ, କିପରି ଜୀବିକା ନିର୍ବାହ କରିବେ ଓ ମାଛ ଉତ୍ପାଦନ ଅଧିକ କରିପାରିବେ ସେନେଇ ଜିଲ୍ଲାପାଳ ଡା. ମିଶ୍ର ଅଲଲୋକପାତ କରିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ରଞ୍ଜିତା ବେହେରା ସଭା କାର୍ଯ୍ୟ ପରିଚାଳନା କରିବା ସହ ମାଛ ଖାଦ୍ୟର ଉପଯୋଗିତା ଓ ବିଶେଷତ୍ୱ ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ । ମାଛ ଖାଦ୍ୟ କାରଖାନା ଯୋଗାଇ ଦେଇଥିବା ସିଫାର ବୈଜ୍ଞାନିକ ଡା. ନାଗେଶ କୁମାର ବାରିକ ଖାଦ୍ୟ ପ୍ରୟୋଗର ଉପକାରିତା ଏବଂ ଉନ୍ନତ ଖାଦ୍ୟ ପରିଚାଳନା ବିଷୟରେ ଦିଗଦର୍ଶନ ଦେଇଥିଲେ । ଏହି ମାଛ ଉତ୍ପାଦନ କାରଖାନା ୨୫ ଲକ୍ଷ ଟଙ୍କା ବିନିମୟରେ ପ୍ରତିଷ୍ଠା ହୋଇଥିବାବେଳେ ସିଫା, କୌଶଲ୍ୟାଗଙ୍ଗ ଭୁବନେଶ୍ୱର ମାଧ୍ୟମରେ ଅନୁମୋଦନ ଯୋଗାଇ ଦିଆଯାଇଛି । ଶ୍ରୀ ଗଣେଶ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ସଭାପତି ଦେବାନନ୍ଦ ପଟ୍ଟନାୟକଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଏହି କାରଖାନାଟି ସଫଳ ରୂପେ ଅନୁଷ୍ଠିତ ହୋଇପାରିଛି । ପାଖାପାଖି ୧୦୦ରୁ ଅଧିକ ମତ୍ସ୍ୟ ଚାଷୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ମତ୍ସ୍ୟ ଅଧିକାରୀ ସନ୍ତୋଷ କୁମାର ଦଲାଇ, ପୂର୍ବତନ ଡିଏଫଓ ଜି. ଜଗଦୀଶ ରାଓ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ରାଧେଶ୍ୟାମ ଲାଇକ, କୋଷାଗୁମୁଡ଼ା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ସର୍ବେଶ୍ୱରୀ ମାଝୀ ଓ ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କୋଷାଗୁମୁଡ଼ା ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ଗିରିଜା ଶଙ୍କର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।