ଅମରାବତୀ,ଏଜେନ୍ସି: ଚଳିତ ବର୍ଷ ଇସ୍ରୋ ତାର ପ୍ରଥମ ମିଶନକୁ ସଫଳତା ପୂର୍ବକ ଉତକ୍ଷେପଣ କରିଛି। ଆଜି ପୂର୍ବାହ୍ନ ୧୦ ଟା ୩୦ ସମୟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ପିଏସଏଲଭି-ସି୫୧ କୁ ଲଞ୍ଚ କରାଯାଇଛି। ଏହି ପିଏସଏଲଭି-ସି୫୧ରୁ ମହାକାଶକୁ ୧୯ଟି ସାଟେଲାଇଟ ପଠାଯାଇଛି। ଏଥିରେ ବ୍ରାଜିଲର ପ୍ରମୁଖ ସାଟେଲାଇଟ ଆମୋଜୋନିଆ-୧ ରହିଛି।
ପିଏସଏଲଭି-ସି୫୧ ରକେଟ ହେଉଛି ପିଏସଏଲଭିର ୫୩ ତମ ମିଶନ। ଏହି ରକେଟରୁ ପ୍ରଥମ ଥର ବ୍ରାଜିଲ ସାଟେଲାଇଟ ଆମୋଜୋନିଆ-୧ ଓ ୧୮ ଅନ୍ୟ ଉପଗ୍ରହ ଅନ୍ତରୀକ୍ଷକୁ ପଠାଯାଇଛି। ଶ୍ରୀହରିକୋଟାରୁ ଆଜି ସକାଳ ୮ ଟାରୁ ଏହାର କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଥିଲା।
ଏହି ମିଶନ ଲଞ୍ଚ ହେବା ପୂର୍ବରୁ ବ୍ରାଜିଲର ବୈଜ୍ଞାନିକ ଟିମ ଭାରତ ଆସିଥିଲେ। ଏହା ଭାରତ ଓ ବ୍ରାଜିଲ ପାଇଁ ଏକ ଗର୍ବର ବିଷୟ କହିଛନ୍ତି ଇସ୍ରୋର ଅଧ୍ୟକ୍ଷ କେ ଶିବନ। ସାଟେଲାଇଟ ଆମୋଜୋନିଆ-୧ ସମ୍ପୂର୍ଣ୍ଣ ରୂପେ ବ୍ରାଜିଲ ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ କରାଯାଇଛି।
ପୃଥ୍ୱୀବିକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଏହି ଆମୋଜୋନିଆ-୧ ଉପଗ୍ରହ ବା ସାଟେଲାଇଟକୁ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ଆମାଜନ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହେବା ଉପରେ ନଜର ରଖିବ। ରିମୋଟ ସେନ୍ସିଂ ତଥ୍ୟ ପ୍ରଦାନ କରି ଜଙ୍ଗଲର ଆକାରକୁ ଆହୁରି ମଜବୁତ କରିବ। ୧୮ଟି ସହଯାତ୍ରୀ ଉପଗ୍ରହ ମଧ୍ୟରୁ ୪ଟି ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରରୁ ଯିବାକୁ ଥିବା ବେଳେ ଆଉ ୧୪ଟି ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍(ଏନଏସଆଇଏଲ)ର ବୋଲି ଜଣାପଡ଼ିଛି।