ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ କମ୍ପେ୍ଲକ୍ସ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍(ପୋକସୋ) ପ୍ରଣତୀ ସାହାଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ପରିବାର ବିଚାର ବିଭାଗୀୟ ଜଜ୍ ଡା. ମୁନରାନୀ ମିଶ୍ର ୧୨ଟି ପାରିବାରିକ ବିବାଦ ମାମଲା ସମାଧାନ କରିଛନ୍ତି । ଅତିରିକ୍ତ ଜିଲ୍ଲା ଜଜ୍ ଶିବ ପ୍ରସାଦ ମିଶ୍ର ଗୋଟିଏ ଏମଏସିଟି ମାମଲାର ଫଇସଲା କରି ୪ଲକ୍ଷ ୩୦ହଜାର ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି । ବରିଷ୍ଠ ଦେବାନୀ ଜଜ୍ ଅନ୍ନପୂର୍ଣ୍ଣା ନାୟକ ୪ଟି ବ୍ୟାଙ୍କ ଋଣ ଦେୟ ସମ୍ବନ୍ଧୀୟ ବିବାଦର ଫଇସଲା କରି ୭ଲକ୍ଷ ୩୯ହଜାର୨୪୦ ଟଙ୍କା ଋଣ ଓ ୨ଟି ଦେବାନି ମୋକଦ୍ଦମା ସମାଧାନ କରି ୫ଲକ୍ଷ ୬୦ହଜାର ଟଙ୍କା ଆଦାୟ କରିଛନ୍ତି । ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା ଗୋଟିଏ ଫୌଜଦାରୀ ମୋକଦ୍ଦମା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ରାଜଶ୍ରୀ ଆର୍ଯ୍ୟବାଲା ତ୍ରିପାଠୀ ୫୪ଟି ଫୌଜଦାରୀ ମୋକଦ୍ଦମାର ଫଇସଲା କରିଛନ୍ତି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୧୩୪ଟି କୋର୍ଟ ମାମଲା, ୩,୮୯୧ଟି ରାଜସ୍ୱ ମାମଲା ଓ ବ୍ୟାଙ୍କର ୩୦ଟି ପ୍ରାକ ମୋକଦ୍ଦମାର ମଧ୍ୟ ଫଇସଲା କରାଯାଇ ୧୨ଲକ୍ଷ ୭୩ହଜାର ୭୬୦ ଟଙ୍କା ଋଣ ଆଦାୟ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ୍ ନିରଞ୍ଜନ ସାହୁ ଯୋଗ ଦେଇଥିଲେ । ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବାବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ ।