ସମ୍ବଲପୁରି ଲିପିରେ ପ୍ରଥମ ମାଗାଜିନ୍ ଓ ବହି ଉନ୍ମୋଚନ

  • ସମ୍ବଲପୁର: ଆଜି ସମ୍ବଲପୁରି ଭାଷା ପ୍ରଚାର ପ୍ରସାର, ସଂସ୍କୃତି, ସୁରକ୍ଷା ଓ ସମୃଦ୍ଧି ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛି। ସମ୍ବଲପୁରି ଭାଷା ଏକାଡେମି ପକ୍ଷରୁ ସମଲପୁରି ଲିପିରେ ପ୍ରଥମ ମାଗାଜିନ୍ ଓ ବହି ଉନ୍ମୋଚନ ହୋଇଛି। ସମ୍ବଲପୁରି ଭାଷାରେ ଶହ ଶହ ସଂଖ୍ୟାରେ ପୁସ୍ତକ ରଚନା ହୋଇସାରିଛି। କିନ୍ତୁ ବର୍ତ୍ତମାନ ସମ୍ବଲପୁରି ଲିପିରେ ଦ୍ୱିତୀୟ ଥର ପାଇଁ ମାଗାଜିନ୍ ‘ପଝ୍ରେନ’ ପ୍ରକାଶ ପାଇଛି। ଆଜି ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଓ କବି ଶ୍ରୀ ଶ୍ରୀଧର ପଧାନଙ୍କ ଜୟନ୍ତୀ ତଥା ସମ୍ବଲପୁରୀ ଦିନ୍ ଅବସରରେ ସମଲେଶ୍ୱରୀ ମା’ ଙ୍କଠାରେ ପ୍ରଥମେ ପୂଜାର୍ଚ୍ଚନା ପରେ ଏହି ‘ପଝ୍ରେନ’ ମାଗାଜିନ୍ ଉନ୍ମୋଚନ କରାଯାଇଛି। ଉନ୍ମୋଚନ ଅବସରରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମ୍ବଲପୁରି ଭାଷା ଓ ଲିପିର ପ୍ରଚାର ପ୍ରସାର, ସଂସ୍କୃତି, ସୁରକ୍ଷା ଓ ସମୃଦ୍ଧି ଦିଗରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସଭାରେ ଅନୁଷ୍ଠାନର ସଭାପତି ତଥା ସମ୍ବଲପୁରି ଲିପିର ସୃଷ୍ଟିକର୍ତ୍ତା ହେମକାନ୍ତ ସାହୁ ଯୋଗଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିସହ ସମ୍ବଲପୁରି ଲିପିକୁ କିପରି ଲୋକେ ଆପଣାଇବେ ସେଥିପ୍ରତି ଧ୍ୟାନ ଦେଇ ଆଗାମୀ ଦିନରେ କମ୍ପ୍ୟୁଟର୍ କି ବୋର୍ଡ଼ ଉନ୍ମୋଚନ କରିବା ପାଇଁ ସୂଚନା ଦେଇଥିଲେ।
    ଅତିଥି ଭାବେ ଡ. ଗୌରୀଦାସ ପ୍ରଧାନ, ଡ. ସତ୍ୟନାରାୟଣ ଠାକୁର, ଜୟକୃଷ୍ଣ ବେହେରା, କାର୍ତ୍ତିକ ବହିଦାର,ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆବାହକ ଭବାନୀଶ ଭୋଇ, ରାହୁଲ ଗୁପ୍ତା, ସୁବୋଧ ଦୋରା, ଅମିତାଭ ମାଝୀ, ମାନସରଞ୍ଜନ ବକ୍ସି, ଅଭିଷେକ ମହାରଣା, ରାଜେଶ ସ୍ୱାଇଁ, ଶଙ୍କର ମେହେର, ରାଜେନ୍ଦ୍ର ସତନାମୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ସମ୍ବଲପୁରି ଭାଷା ଏକାଡେମିର ସମ୍ପାଦକ ପ୍ରକୃତିବନ୍ଧୁ ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।