ଏଲର୍ଜି କାରଣରୁ ଦେଶରେ ପ୍ରଥମ ଟିକା ଜନିତ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଟିକାର ୨ଟି ଡୋଜ୍ ନେବା ପରେ ପ୍ରଥମ ମୃତ୍ୟୁ ହୋଇଛି। ଟିକାର ଦୁଷ୍ପ୍ରାଭାବ ସମ୍ପର୍କରେ ଅଧ୍ୟୟନ କରୁଥିବା ସରକାରଙ୍କ ଏକ ସମିତି ୩୧ଟି ମାମଲା ଅନୁଧ୍ୟାନ କରିବା ପରେ ଏହା ସ୍ପଷ୍ଟ କରିଛି। ଏଥିରେ ଟିକାକରଣ ପରେ ଏକ ମାରାତ୍ମକ ଏଲର୍ଜି କାରଣରୁ ମୃତ୍ୟୁର ପ୍ରଥମ ମାମଲା ସାମ୍ନାକୁ ଆସିଥିବା ପୁଷ୍ଟି କରାଯାଇଛି। ରାଷ୍ଟ୍ରୀୟ ଏଇଏଫଆଇ ସମିତିର ରିପୋର୍ଟ ଅନୁସାରେ, ୬୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ମାର୍ଚ୍ଚ ୮ରେ ଟିକା ଲଗାଯାଇଥିଲା। ପରେ ଗମ୍ଭୀର ଏଲର୍ଜି ହେବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା।

ସମିତିର ଅଧ୍ୟକ୍ଷ ଡା.ଏନ୍ କେ ଅରୋଡ଼ା କହିଛନ୍ତି ଯେ, କରୋନା ସହ ଜଡ଼ିତ ଏଲର୍ଜି କାରଣରୁ ମୃତ୍ୟୁର ଏହା ହେଉଛି ପ୍ରଥମ ଘଟଣା। ସେଥିପାଇଁ ଟିକା ନେବାର ୩୦ ମିନିଟ୍ ପର୍ଯ୍ୟନ୍ତ ଓବଜରଭେସନରେ ରହିବା ଜରୁରୀ ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ଅଧିକତର ଏଲର୍ଜିର ପ୍ରତିକ୍ରିୟା ଏହି ଅବଧି ମଧ୍ୟରେ ହୋଇଥାଏ। ସେଥିପାଇଁ ଯଥାଶଘ୍ର ଉପଚାର କଲେ ରୋଗୀଙ୍କୁ ମୃତ୍ୟୁ କବଳରୁ ରକ୍ଷା କରାଯାଇ ପାରିବ।