ସ୍ୱାଭିମାନ ଅଞ୍ଚଳକୁ ଛୁଇଁଲା କରୋନା, ଏଯାଏଁ ମିଳିଲାନି କରୋନା ଟିକା

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପ୍ରଥମ ଥର କରୋନା କେସ ସାମ୍ନାକୁ ଆସିଛି। କରୋନାର ପ୍ରଥମ ପର୍ଯ୍ୟାୟରେ ସ୍ୱାଭିମାନ ଅଞ୍ଚଳକୁ ଛୁଇଁ ପାରି ନଥିଲା ସତ। ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଏଏନଏମ୍ କର୍ମୀ ପଜିଟିଭ ଚିହ୍ନଟ ହୋଇଛନ୍ତି। କର୍ମୀ ଜଣକ ପଜିଟିଭ ଚିହ୍ନଟ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ପରୀକ୍ଷା କରାଯାଇନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କରୋନା ଚିହ୍ନଟ ହୋଇଥିବା ମହିଳା ହେଉଛନ୍ତି ଜଣେ କରୋନା ଯୋଦ୍ଧା। ସେ ସ୍ୱାଭିମାନ ଅଞ୍ଚଳରେ ଏଏନଏମ୍ କର୍ମୀ ଭାବରେ ନିଯୁକ୍ତି ପାଇଥିଲେ ଏବଂ ସେ ଗାଁ କୁ ଗାଁ ବୁଲି ଲୋକଙ୍କ ଚିକିତ୍ସା କରୁଥିଲେ, ଏହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। ଚିହ୍ନଟ ହେବାପରେ କେତେଜଣ ତାଙ୍କ ସଂସ୍ପର୍ଶରେ ରେ ଆସିଥିଲେ, କେତେଜଣଙ୍କ କରୋନା ଟେଷ୍ଟିଂ କରାଗଲା ତାହାବି ବର୍ତ୍ତମାନ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଯେଉଁଥି ପାଇଁ ସ୍ୱାଭିମାନ ଅଂଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ସୁଦ୍ଧା ସ୍ୱାଭିମାନ ଅଞ୍ଚଳର କୌଣସି ବ୍ୟକ୍ତି ଙ୍କୁ କରୋନା ଟିକା ଦିଆଯାଇନଥିବା ସେଠାରେ ସରକାରଙ୍କ ପକ୍ଷରୁ କୌଣସି କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଉନଥିବା ଅଭିଯୋଗ ହୋଇଛି। ଫଳରେ ସେଠାରେ ଏଯାଏଁ ମଧ୍ୟ ସ୍ୱାଭାବିକ ଭାବେ ସାପ୍ତାହିକ ହାଟ ହେଉଥିବା ଦେଖିବାକୁ ମିଳିଛି। ଏହି ସାପ୍ତାହିକ ହାଟରେ ସାମାଜିକ ଦୂରତା କିମ୍ବା କୌଣସି ବ୍ୟକ୍ତି ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି।