ଜନ୍ତୁ ଭାବି ସମ୍ପର୍କୀୟଙ୍କୁ ଗୁଳି, ଜଣେ ମୃତ

ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍: ରବିବାର ସକାଳେ ବଗଡ଼କୁ ଯାଇଥିବା ଜଣେ ବ୍ୟକ୍ତିକୁ ତା’ର ସମ୍ପର୍କୀୟ ଜନ୍ତୁ ବୋଲି ଭାବି ଗୁଳି କରିଛି। ପ୍ରକାଶ ଯେ, ଆର୍ ଉଦୟଗିରି ବ୍ଲକ୍ ଶବରପଲ୍ଲୀ ପଞ୍ଚାୟତ ଜିରାଙ୍ଗ ଗ୍ରାମର ଥମାସ ରଇତ (୨୫) ରାତିରେ ବନ୍ଧୁକ ଧରି ହାତୀବଡ଼ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ଭୋର ୫ଟାରେ ଅନନ୍ତ ବଡ଼ରଇତ (୨୮) ନିଜ ବଗଡ଼କୁ ଯାଇଥିଲେ। ଏହି ସମୟରେ ବଗଡ଼ ନିକଟରେ ଶବ୍ଦ ଶୁଣାଯିବାରୁ ଥମାସ କୌଣସି ଜନ୍ତୁ ଅଛି ବୋଲି ଭାବି ଗୁଳି ଚଳାଇଥିଲା। କିନ୍ତୁ ଗୁଳିଟି ଅନନ୍ତଙ୍କ ଦେହରେ ବାଜିଥିଲା। ଫଳରେ ଅନନ୍ତଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଥମାସ ଉକ୍ତ ସ୍ଥାନକୁ ଆସି ଦେଖିଲା ବେଳକୁ ଅନନ୍ତ ସେଠାରେ ମରି ପଡ଼ିଛି। ଏହାପରେ ଥମାସ ଆର. ଉଦୟଗିରି ଥାନାକୁ ଯାଇ ଆତ୍ମସର୍ମପଣ କରିଥିଲେ। ଏନେଇ ଆର୍ ଉଦୟଗିରି ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ମେଡିକାଲକୁ ପଠାଯାଇଛି। ଆର୍ ଉଦୟଗିରି ଥାନା ଅଧିକାରୀ ମମତା ନାୟକ ଏହାର ତଦନ୍ତ କରୁଛନ୍ତି।