ସୋରଡା,ଏନ୍ଏନ୍ଏସ୍: ସୋରଡା ବ୍ଲକ ବଡଗଡ ଥାନା ମେରିକୋଟ ଗ୍ରାମପଞ୍ଚାୟତ ବାରଭଣିଆ ଗ୍ରାମରେ ଶ୍ୱଶୁରର ଗୁଳିମାଡରେ ବୋହୂର ମୃତ୍ୟୁ ଘଟିଛି। ମୃତକ ହେଲ ରଶ୍ମିତା ମଳିକ। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ମାସ ତଳେ ପ୍ରଫୁଲ ମଳିକଙ୍କ ପୁଅ ମିଟୁର ବିବାହ ହୋଇଥିଲା। ବିବାହ ବେଳେ ଭୋଜିକାର୍ଯ୍ୟ ଆଦି ପାଇଁ ବିଭିନ୍ନ ସ୍ଥାନରୁ ଧାରକରଜ କରି ରାସନ ସାମଗ୍ରୀ ଓ ଲୁଗାପଟା ଆଦି କିଣି ଆଣିଥିଲେ। ହେଲେ ବିବାହର ଦୀର୍ଘଦିନ ବିତିବାରୁ ବାକି ଦେଇଥିବା ବେପାରୀମାନେ ଘରକୁ ଆସି ଟଙ୍କା ମାଗିବାରୁ ଏହାକୁ ନେଇ ବାପ-ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଚରମ ସୀମାରେ ପହଞ୍ଚିଥିଲା। ଶେଷରେ ପ୍ରଫୁଲ୍ଲ ଘରେ ଥିବା ଏକ ଦେଶୀ ବନ୍ଧୁକରେ ପୁଅ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ଗୁଳି ବୋହୂ ରଶ୍ମିତାଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ରଶ୍ମିତାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହା ଦେଖି ଉଭୟ ବାପା-ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଓ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛନ୍ତି।