ଜୟପୁର,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୁଲିସ୍ ଚୋରି ଅଭିଯୋଗରେ ୪ଜଣକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୋରିଗୁମ୍ମା ଥାନା ଦୁଲାଗୁଡା ଗ୍ରାମର ନକୁଳ ଘାସି, କାଳିଆ ଯାନୀ, ଭକ୍ତ ଯାନୀ ଓ ରବି ଯାନୀ। ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସିନେମା ହଲ୍ ନିକଟରେ ଦୋକାନ କରିଥିବା ବୋରିଗୁମ୍ମା ଭୂଦାନ କଲୋନୀର ମନୋରଞ୍ଜନ ପାଣିଗ୍ରାହୀଙ୍କ ଇଲେକ୍ଟ୍ରିକ୍ ଦୋକାନରୁ ୮ଟି ଫ୍ୟାନ୍ ଓ ୧୨ଟି ଏଲଇଡି ବଲବ ଚୋରି ହୋଇଥିବା ୧୧ ତାରିଖରେ ଅଭିଯୋଗ କରିଥିଲେ। ଦୋକାନରେ ରାତ୍ରୀ ଜଗୁଆଳି ଥିବା ନକୁଳ ଏବଂ କାଳିଆ ପ୍ରତି ସନ୍ଦେହ ରହିଥିବା ଅଭିଯୋଗକାରୀ ମନୋରଞ୍ଜନ କହିବା ପରେ ପୁଲିସ୍ ଉଭୟଙ୍କୁ ଥାନାକୁ ଆଣି ପଟରାଉଚରା କରିଥିଲା। କାଳିଆ ଠାରୁ ସୂଚନା ପାଇ ପୁଲିସ୍ ଟିମ୍ ଦୁଲାଗୁଡା ଯାଇ ଭକ୍ତ ଓ ରବିକୁ ଗିରଫ କରିବା ସହ ରବି ଘରୁ ଚୋରି ସମସ୍ତ ଜିନିଷ ଉଦ୍ଧାର କରିଥିଲା। ଅଭିଯୁକ୍ତମାନେ ଚୋରି କରିଥିବା ପୁଲିସ୍ ନିକଟରେ ସ୍ୱୀକାର କରିବା ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି।