ଦେବଦୂତ ସାଜିଲା ଅଗ୍ନିଶମ ବିଭାଗ; ସାପ କାମୁଡିଥିବା ଛୋଟ ପିଲାଙ୍କୁ ପହଁଞ୍ଚାଇଲେ ଡାକ୍ତରଖାନା

ପାଟଣାଗଡ଼,ଏନ୍ଏନ୍‌ଏସ୍‌: ଗତକାଲି ସକାଳେ ଖେଳୁଥିବା ସମୟରେ ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ଚଙ୍ଗରିଆ ପଞ୍ଚାୟତର ବରାହାଗୁଡା ଗାଁରେ ଜଣେ ଛୋଟ ପିଲା ଆଦିତ୍ୟକୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଫଳରେ ଅନ୍ଧବିଶ୍ବାସ ବଶବର୍ତ୍ତୀ ପରିବାର ଲୋକେ ପ୍ରଥମେ ପିଲାଟିକୁ ପାଖରେ ଥିବା ଶିବମନ୍ଦିର ପୂଜକ ମନବୋଧ ବରିହାଙ୍କ ପାଖକୁ ନେଇ ଝଡାଫୁଙ୍କା କରି ବିଷ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଠାରେ ପୁଅର ଅବସ୍ଥା ଗୁରୁତର ହୋଇଥିଲା। ପରେ ସେମାନେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ।

ଆମ୍ବୁଲାନ୍ସ ନ ଆସିବାରୁ ଗାଁର ଏକ ଯୁବକ ପ୍ରସାନ୍ତ ବେହେରା ଏକ ଘରୋଇ ଗାଡ଼ିରେ ପିଲାଟିକୁ ପାଟଣାଗଡ଼ ହସ୍ପିଟାଲ ନେଇଥିଲେ। କିନ୍ତୁ ରଥଯାତ୍ରା ପାଇଁ ସେମାନେ ରାସ୍ତା ପାଇ ନଥିଲେ। ଉପସ୍ଥିତ ବୁଦ୍ଧି ଲଗାଇ ପାଟଣାଗଡ଼ ଅଗ୍ନିଶମ ବିଭାଗକୁ ଯାଇ ସାହାଯ୍ୟ ମାଗିଥିଲେ। ତୁରନ୍ତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ମଧ୍ୟ ପିଲାଟିର ଦେହର ଚାରିଆଡେ ଫୁଲି ଯାଇଥିଲା। ତେଣୁ ଡାକ୍ତର ତୁରନ୍ତ ଅଧିକ ଚିକିତ୍ସା ପାଇଁ ପିଲାଟିକୁ ବଲାଙ୍ଗିରକୁ ପଠାଇ ଦେଇଥିଲେ।

ବର୍ତ୍ତମାନ ଆଦିତ୍ୟ ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜର ଶିଶୁ ବିଭାଗର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।