ବିଜେବି କଲେଜ ହଷ୍ଟେଲରେ ଛାତ୍ରୀ ଆତ୍ମହତ୍ୟା ଘଟଣା: ତଦନ୍ତ ରିପୋର୍ଟ ପରେ ନିଆଯିବ ପଦକ୍ଷେପ- ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାରେ ଶୋକ ବ୍ୟକ୍ତ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ଦୁଃଖ ପ୍ରକାଶ ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମନ୍ତ୍ରୀ। ଏଥିସହ ମାମଲାରେ ପୁଲିସର ତଦନ୍ତ ରିପୋର୍ଟ ହସ୍ତାନ୍ତର ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ‘ବିଜେବି ମହାବିଦ୍ୟାଳୟ କାରୁବାକୀ ଛାତ୍ରୀନିବାସରେ ରହୁଥିବା ଯୁକ୍ତ ୩ କଳା ଛାତ୍ରୀ ରୁଚିକା ମହାନ୍ତିଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତାଙ୍କ ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା ଜଣାଉଛି। ଏହା ଏକ ସମ୍ବେଦନଶୀଳ ଘଟଣା। ଏହାର ପୁଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।’

ସୂଚନା ଅନୁଯାୟୀ, ଗତକାଲି ହଷ୍ଟେଲ ରୁମରୁ ରୁଚିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ସମୟରେ ତାଙ୍କ ନିକଟରୁ ଜବତ ହୋଇଥିଲା ଏକ ସୁଇସାଇଡ ନୋଟ୍। ସେଥିରେ ସେ ସିନିୟରଙ୍କ ଦ୍ବାରା ହେଉଥିବା ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ। ପୁଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି।