ବ୍ୟାଙ୍କରେ ଲାଗିଲା ନିଆଁ, ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର ପୋଡ଼ି ନଷ୍ଟ

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ କାଗଜ ପାତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଗତ ୬ ମାସ ତଳେ ବଜାର ମଧ୍ୟରେ ଥିବା ଏହି ଶାଖାଟିକୁ ସ୍ଥାନାନ୍ତର କରାଯାଇ ନୂତନ ଭାବରେ ଏକ ଭଡ଼ା ଘରେ ସ୍ଥାପନ କରାଯାଇଥିଲା । ଶନିବାର ଓ ରବିବାର ବ୍ୟାଙ୍କ ଛୁଟିଥିଲା ଏବଂ ବ୍ୟାଙ୍କର ରେକର୍ଡ ରୁମରେ ଥିବା ଏସିକୁ ବନ୍ଦ କରିବା ପାଇଁ କର୍ମଚାରୀ ଭୁଲି ଯାଇ ବ୍ୟାଙ୍କ ବନ୍ଦ କରି ଚାଲି ଯାଇଥିଲେ । ସୋମବାର ସକାଳୁ ସ୍ଥାନୀୟ ଲୋକେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇ ଫିରିଙ୍ଗିଆ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ପହଞ୍ଚିି ନିଆଁକୁ ଆୟତ୍ତ କରିଥିଲେ । ତେବେ କର୍ମଚାରୀଙ୍କ ଅବହେଳା ଯୋଗୁ ବ୍ୟାଙ୍କର ରେକର୍ଡ ରୁମରେ ଲାଗିଥିବା ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗି ଯାଇଥିଲା । ଅନ୍ୟପଟେ ଘଟଣାସ୍ଥଳରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଶାଖା ପ୍ରବନ୍ଧକ ପ୍ରଦୀପ କୁମାର ମେହେରଙ୍କ ସହ ଗୋଛାପଡ଼ା ସରପଞ୍ଚ ଯୁଗାନ୍ତ କହଁର, ସ୍ଥାନୀୟ ପୁଲିସ କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନ ଆପଦ ମିତ୍ରର କର୍ମକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ନିଆଁ ଲିଭାଇବା ପାଇଁ ସହଯୋଗ କରିଥିଲେ ।