ୟୁକ୍ରେନର ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ: ୧୫ ମୃତ, ୫ ଗୁରୁତର

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ‌ର ଖାର୍କିବ ସହରରେ ଥିବା ଏକ ନର୍ସିଂହୋମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଖାର୍କିବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ନର୍ସିଂହୋମରୁ ରୋଗୀ ଓ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ସେହିପରି ଅନ୍ୟ ୫ ଜଣ ମଧ୍ୟ ଗୁରୁତର ହୋଇଥିଲେ। ତେବେ ନର୍ସିଂହୋମ ୨ ମହଲା ବିଶିଷ୍ଟ ହୋଇଥିବା ବେଳେ କେଉଁ କାରଣରୁ ନିଆଁ ଲାଗିଲା ଏହାର ତଦନ୍ତ ଚାଲିଛି।