କର୍ଣ୍ଣାଟକ: ଶିଭମୋଗାରେ ଡିନାମାଇଟ ନେଇ ଯାଉଥିଲା ଟ୍ରକ, ବିସ୍ଫୋରଣରେ ୮ ମୃତ

ଶିଭମୋଗା,ଏଜେନ୍ସି: ବିଳମ୍ବିତ ରାତିରେ କର୍ଣ୍ଣାଟକର କିଛି ଅଞ୍ଚଳରେ ଡିନାମାଇଟ ବିସ୍ଫୋରଣର ଝଟକା ଅନୁଭୂତ ହୋଇଛି। ବେଙ୍ଗାଲୁରୁ ଠାରୁ ୩୫୦ କିଲୋମିଟର ଦୂର ଶିଭମୋଗାରେ ଗତକାଲି ରାତି ସାଢ଼େ ୧୦ଟାରେ ଏକ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଲୋକଙ୍କର ଘରେ ଲାଗିଥିବା ଝରକାର କାଚ ଭାଙ୍ଗି ଯାଇଛି। ଲୋକେ ଅନୁମାନ କରୁଥିଲେ ଯେ, ଭୂକମ୍ପ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି। କିନ୍ତୁ ପରେ ଜଣାପଡ଼ିଥିଲା ଯେ, ଡିନାମାଇଟ ବିସ୍ଫୋରଣ ଯୋଗୁଁ ଏହା ହୋଇଛିି।

କୁହାଯାଉଛି ଯେ, ଖନନ କାର୍ଯ୍ୟ ପାଇଁ ଟ୍ରକରେ ବିସ୍ଫୋରକ ସାମଗ୍ରୀ ନେଇଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା। ଶିଭମୋଗା ଜିଲ୍ଲାପାଳ ଶିବକୁମାର କହିଛନ୍ତି ଯେ, ହୁନାସୋଡୁ ଗାଁରେ ଏକ ରେଲୱେ କ୍ରସର ସାଇଟରେ ଡିନାମାଇଟ ବିସ୍ଫୋରଣ ହୋଇଛି, ଯେଉଁଥିରେ କି ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଶିଭମୋଗା ସହର ଠାରୁ ପାଖାପାଖି ୫-୬ କିଲୋମିଟର ଦୂରରେ ଏହି ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ରହିଛି।