ଧାନ ଗଦାରେ ଲାଗିଲା ନିଆଁ; ନିଆଁରେ ପୋଡି ହୋଇ ୩ ବର୍ଷର ଶିଶୁ ମୃତ

ପଟ୍ଟାମୁଣ୍ଡାଇ,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ମଗରପଣ୍ଡା ଗାଁରେ ଗତରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନ ଖଳାରେ ନିଆଁ ଲାଗି ଜଣେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି। ସେହିପରି ଏହି ଘଟଣାରେ ରମାକାନ୍ତ ସାମଲ, ତାଙ୍କ ସ୍ତ୍ରୀ କୁନି ସାମଲ ଓ ୧୨ ବର୍ଷର ଝିଅ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ରାଜନଗର ବ୍ଲକ୍ ଓକିଳପାଳ ଗାଁର ରମାକାନ୍ତ ୩ କି.ମି ଦୂର ମଗରପଣ୍ଡା ଗାଁରେ ଚାଷ କରିଥିଲେ। ଚଳିତ ବର୍ଷ ଧାନ ଅମଳ ନିମନ୍ତେ ପରିବାର ସହ ସେଠାରେ ଧାନ ଖଳାରେ ରହୁଥିଲେ। ରାତିରେ ଜନ୍ତୁ ଭୟରୁ ଡିବି ବତି ଲଗାଇ ଶୋଉଥିଲେ।

ହେଲେ ଗତରାତିରେ ଡିବି ବତିରୁ ଧାନ ଖଳାରେ ନିଆଁ ଲାଗିଯାଇଥିଲା। ଏଥିରେ ରମାକାନ୍ତଙ୍କ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ଗୁରୁତର ହୋଇପଡ଼ିଥିଲେ। ଉକ୍ତ ଧାନ ଖଳାଟି ଗାଁଠୁ ଦୂରରେ ଥିବାରୁ ଗାଁ’ଲୋକେ ଏ ସମ୍ପର୍କରେ କିଛି ଜାଣିପାରି ନଥିଲେ। ଆଜି ସକାଳେ କିଛି ସ୍ଥାନୀୟ ଲୋକ ଉକ୍ତ ବାଟ ଦେଇ ଯାଉଥିବା ବେଳେ ଧାନ ଗଦା ଜଳୁଥିବା ଦେଖି ତା’ ଭିତରୁ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।