ଇରାକର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୫୦ରୁ ଅଧିକ ମୃତ

ଇରାକ୍,ଏଜେନ୍ସି: ଇରାକର ରାଜଧାନୀ ବାଗଦାଦର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫୦ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଡାକ୍ତରଖାନାର କରୋନା ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି। ଯେଉଁଠାରେ କୋଭିଡ ରୋଗୀ ଚିକିତ୍ସିତ ହେଉଥିଲେ। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦକ୍ଷିଣ ବାଗଦାଦର ଅଲ ହୁସେନ୍ ଶିକ୍ଷାଦାନ ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଛି।

ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡରେ ପ୍ରବଳ ପୋଡାଜଳା ହେତୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା କୁହାଯାଉଛି। ହସ୍ପିଟାଲରେ ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ ବୋଲି କୁହାଯାଉଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଅମ୍ଳଜାନ ସିଲିଣ୍ଡରରେ ବିସ୍ଫୋରଣ ପାଇଁ ଏହି ନିଆଁ ବ୍ୟାପିବାର କାରଣ ବୋଲି ଅନୁମାନ କରାଯାଉଛି। ଅଦ୍ୟାବଧି ସରକାର କୌଣସି ବିବୃତ୍ତି ଜାରି କରିନାହାଁନ୍ତି।

ତିନିମାସ ପୂର୍ବରୁ ଡାକ୍ତରଖାନାରେ ଏକ ନୂଆ କରି ୭୦ଟି ଶଯ୍ୟା ବିଶିଷ୍ଟ କରୋନା ୱାର୍ଡ କାର୍ଯ୍ୟକ୍ଷମ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ମୁଖପାତ୍ର ଆମୀର ଜାମିଲି କହିଛନ୍ତି ଯେ ଏହି ଘଟଣା ଘଟିବା ସମୟରେ ୬୩ ରୋଗୀ ୱାର୍ଡରେ ଭର୍ତ୍ତି ଥିଲେ। ଇରାକର ନାଗରିକ ପ୍ରତିରକ୍ଷା ମୁଖ୍ୟ ମେଜର ଜେନେରାଲ ଖାଲିଦ ବୋହାନ କହିଛନ୍ତି ଯେ ଡାକ୍ତରଖାନା ନିର୍ମାଣରେ ଜ୍ୱଳନ ଶୀଳ ସାମଗ୍ରୀ ବ୍ୟବହାର କରାଯାଇଥିଲା ଯାହା ଦ୍ୱାରା ନିଆଁ ଶୀଘ୍ର ବ୍ୟାପିଥାଏ।