ରାଜ୍ୟରେ କରୋନା ନେଲା ସର୍ବାଧିକ ୬୮ ଜଣଙ୍କ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୧୯୩୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୭୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟାରେ ହୋଇଥିବା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ ଜଣ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୭ ଜଣ ରହିଛନ୍ତି। ବରଗଡ଼ ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫ ଜଣ, ପୁରୀରୁ ୪ ଜଣ, ଅନୁଗୁଳ ଓ ଯାଜପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି। ସେହିପରି ବଲାଙ୍ଗିର, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବାଲେଶ୍ୱର, କନ୍ଧମାଳ, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।