ସମୀର ୱାଙ୍ଖଡେଙ୍କ ପିଛା ଛାଡୁନି ଅଡୁଆ, ପୁଣି ଠକେଇ ଅଭିଯୋଗ

ମୁମ୍ବାଇ,ଏଜେନ୍ସି: ପୁଣି ଅଡୁଆରେ ଏନ୍‌ସିବି ଅଫିସର ତଥା ପୂର୍ବତନ ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ । ଠକେଇ ଅଭିଯୋଗ ଫସିଛନ୍ତି ସମୀର । ଅବକାରୀ ବିଭାଗ ପକ୍ଷରୁ ସମୀରଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆସିଛି । ଏନେଇ ମହାରାଷ୍ଟ୍ର ଥାନେ ଜିଲ୍ଲା କୋପାରୀ ପୋଲିସ ଷ୍ଟେସନରେ ସମୀରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଅଭିଯୋଗ ମୁତାବକ, ୧୯୯୬-୯୭ ମଧ୍ୟରେ ସମୀର ୱାଙ୍ଖଡେଙ୍କ ବୟସ ୧୮ ବର୍ଷରୁ କମ୍‌ ଥିଲା । ସେ ସେହି ଥାନେର ସଦ୍‌ଗୁରୁ ହୋଟେଲ ଓ ବାର୍‌ ପାଇଁ ଲାଇସେନ୍ସ ହାସଲ କରିବା ଲାଗି ଷ୍ଟାମ୍ପ ପେପର୍‌ ନିଜ ବୟସ ୧୮ ବର୍ଷ ବୟସରୁ ଅଧିକ ଥିବା ଦାବି କରିଥିଲେ । ସମୀର ୱାଙ୍ଖଡେ ମିଛ କହି ବାରର ଲାଇସେନ୍ସ ହାସଲ କରିଥିଲେ । ନିଜ ବୟସରେ ସେ ଜାଲିଆତି କରିଥିବା ଅବକାରୀ ବିଭାଗ ଅଭିଯୋଗ କରିଛି । ଏହି ଅଭିଯୋଗକୁ ଆଧାର କରି ଆଗାମୀ ସମୟରେ ସମୀର ୱାଙ୍ଖଡେଙ୍କ ଅଡୁଆ ବଢ଼ିପାରେ।

ଏହାପୂର୍ବରୁ ସମୀରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସ୍‌ ମାମଲାରେ ଜଣେ ସ୍ବତନ୍ତ୍ର ସାକ୍ଷୀ ଏହି ଅଭିଯୋଗ ଆଣିଥିଲେ। କିରଣ ଗୋସାଭିଙ୍କ ଅଙ୍ଗରକ୍ଷକ ଥିବା ପ୍ରଭାକର ସେଲ ଦାବି କରିଥିଲେ ଯେ ଶାହାରୁଖ ଖାନଙ୍କ ପୁଅକୁ ଛାଡିବା ପାଇଁ ୨୫ କୋଟିର ଡିଲ୍‌ ହୋଇଥିଲା। ପରେ ଶେଷରେ ଏହି ଡିଲ୍‌ ୧୮ କୋଟିରେ ଫାଇନାଲ ହୋଇଥିଲା । ସେଥିରୁ ୮ କୋଟି ସମୀର ୱାଙ୍ଖଡେ ନେଇଥାନ୍ତେ ବୋଲି ସେ ଅଭିଯୋଗ ହୋଇଥିଲା ।ଏହାପରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନୱାବ ମଲିକଙ୍କ ଟାର୍ଗେଟରେ ଆସିଥିଲେ ୱାଙ୍ଖଡେ।