ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ଟାର୍ଗେଟ କିଲିଂକୁ ଦୃଷ୍ଟିରେ ରଖି ୧୭୭ ଜଣ କଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ବଦଳି କରି ଦିଆଯାଇଛି। କିନ୍ତୁ ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏହି ଶିକ୍ଷକମାନଙ୍କ ତାଲିକା ଜାରି କରାଯାଇଛି, ଯେଉଁଥିରେ କି ପୂରା ବିସ୍ତୃତ ବିବରଣୀ ଦିଆଯାଇଛି। ବିବରଣୀରେ ଶିକ୍ଷକ ଓ ତାଙ୍କର ସ୍କୁଲର ବିବରଣୀ ଦିଆଯାଇଛି। ଅର୍ଥାତ ଏହି ଲୋକଙ୍କର ନାମକୁ ସର୍ବସାଧାରଣ କରିଦିଆଯାଇଛି। ଏବେ ଚର୍ଚ୍ଚା ହେଉଛି ଯେ, ଏହି ତାଲିକା ପ୍ରକାଶ ପାଇବା ଦ୍ୱାରା ସୁରକ୍ଷିତ ଥିବା ଲୋକଙ୍କ ପାଇଁ ବିପଦ ଆହୁରି ବଢ଼ି ଯାଇଛି।
ବିଗତ କିଛି ଦିନ ମଧ୍ୟରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ଅଧିକ ସକ୍ରିୟ ହୋଇଛି। ଏକତା ସେନା ଓ ପୋଲିସକୁ ଟାର୍ଗେଟ କରୁଥିବା ଆତଙ୍କବାଦୀମାନେ ଏବେ କାହାରିକୁ ଛାଡୁନାହାନ୍ତି। ଏଥିରେ ପ୍ରଶାସନର କର୍ମଚାରୀ, ଶିକ୍ଷକ, ବ୍ୟବସାୟୀ ଆଦି ସାମିଲ ରହିଛନ୍ତି। ଏପରିକି ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ଛାଡୁନାହାନ୍ତି। ଆତଙ୍କବାଦୀଙ୍କ ଭୟରେ କଶ୍ମୀରୀ ପଣ୍ଡିତମାନେ ପଳାୟନ କରିବା ନେଇ ଘୋଷଣା କରିଛନ୍ତି। ଜମ୍ମୁ କଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା ଥିଲେ ବି, ଆତଙ୍କବାଦୀମାନେ ଏହାକୁ ଭୃକ୍ଷେପ କରୁନାହାନ୍ତି।