ଦେବଗଡ଼,ଏନ୍ଏନ୍ଏସ: ହାତରେ ବାଣ ଫୁଟି ଜଣେ ଯୁବକର ହାତ ଆଙ୍ଗୁଳି ଛିଡି ଯାଇଥିବା ଜଣାପଡ଼ିଛି। ଏଭଳି ଅଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ ନୂଆଁଗାଁ ଗ୍ରାମରେ। ଉକ୍ତ ଗ୍ରାମର ପ୍ରଶନ୍ନ ମୁଣ୍ଡା(୨୨)ଙ୍କ ହାତରେ ନଡିଆ ବାଣ ଫୁଟି ୪ଟି ଆଙ୍ଗୁଳି ଛିଡି ପଡ଼ିଥିବା ଜଣାଯାଇଛି।
ସୂଚନା ଅନୁସାରେ କିଛିଦିନ ପୂର୍ବେ ପ୍ରସନ୍ନ ମୁଣ୍ଡାଙ୍କ ଘରର କେତେକ ପିଲା ରାସ୍ତାରୁ ଏକ ଅଫୁଟା ନଡିଆ ବାଣ ଗୋଟାଇଆଣି ଘରେ ରଖିଥିଲେ। ପିଲାମାନେ ଆଜି ଘର ଭିତରେ ସେହି ବାଣକୁ ଫୁଟାଇବା ପାଇଁ ସେଥିରେ ନିଆଁ ଲଗାଉଥିଲେ। ତେବେ ବାଣଟି ଘରଭିତରେ ଫୁଟିଗଲେ ବହୁ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ଥିବାରୁ ଏହି ଅଘଟଣକୁ ଏଡାଇବା ପାଇଁ ପ୍ରସନ୍ନ ପିଲାମାନଙ୍କ ହାତରୁ ଜ୍ୱଳନ୍ତା ବାଣଟିକୁ ଛଡ଼ାଇ ଆଣିବା ସହ ଘର ବାହାରକୁ ଫିଙ୍ଗିବାକୁ ଉଦ୍ୟମ କରିଥିଲେ।
ଏହି ସମୟରେ ପ୍ରସନ୍ନଙ୍କ ହାତରେ ହିଁ ବାଣଟି ଫୁଟିଯାଇଥିଲା। ଫଳରେ ତାଙ୍କର ଡାହାଣ ହାତର ୪ଟି ଅଙ୍ଗୁଳି ଛିଡ଼ିଯାଇଛି। ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।