ଦୁର୍ଘଟଣାଗସ୍ତ ଗାଡ଼ିଗୁଡ଼ିକୁ ଫାଇନ୍, ଟ୍ରାକ୍ଟରକୁ ୫୩ ହଜାର ଓ ବସକୁ ୨୭ ହଜାର ଜୋରିମାନା

ସମ୍ବଲପୁର,ଏନ୍ଏନ୍ଏସ୍: ଯୁଯୁମରା ଥାନା ଥର୍ଲି ବ୍ରିଜରେ ଏକ ଟ୍ରାକ୍ଟରକୁ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଆହତ ହୋଇଥିଲେ । ପରିବହନ ବିଭାଗ ଓ ପୁଲିସର ଉକ୍ତ ଘଟଣାକୁ ଯାଞ୍ଚ କରିବା ପରେ ଦୁର୍ଘଟଣାଗ୍ରସ୍ତ ଉଭୟ ଟ୍ରାକ୍ଟର ଓ ବସର କାଗଜପତ୍ର ଠିକ ନଥିବା ଜଣାପଡ଼ିଥିଲା। ଫଳରେ ଉଭୟ ଗାଡ଼ି ଉପରେ ପରିବହନ ବିଭାଗ ପକ୍ଷରୁ ମୋଟା ଅଙ୍କର ଫାଇନ ଲଗାଯାଇଛି । ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରର ଫିଟନେସ ୨୦୧୮ରୁ ନ ଥିବାରୁ ଓ କାଗଜପତ୍ର ଠିକ ନଥିବାରୁ ୫୩ ହଜାର ୨ଶହ ଟଙ୍କା ଫାଇନ କରାଯାଇଛି । ସେହିପରି ବସର ଫିଟନେସ, ପଲ୍ୟୁସନ, ଇନସ୍ୟୁରାନ୍ସ ନଥିବାରୁ ୨୭ ହଜାର ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ ।
ସୂଚନାଯୋଗ୍ୟ, ରିଆମାଳରୁ ସମ୍ବଲପୁର ଯାଉଥିବା ‘ପ୍ରଧାନ’ ନାମକ ଘରୋଇ ଯାତ୍ରୀବାହୀ ବସ୍ ଗତକାଲି ସକାଳ ପ୍ରାୟ ୧୦ଟା ୪୦ରେ ୫ଜଣ ଶ୍ରମିକଙ୍କୁ ବସାଇ ନେଉଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଫଳରେ ଶ୍ରମିକମାନଙ୍କ ସହ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଅତି ସାଙ୍ଘାତିକ ଆହତ ହୋଇଥିବା ସେ ଶ୍ରମିକମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ପରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।