ମହିଳାଙ୍କ ପେଟରେ ବଢ଼ୁଥିବା ଟ୍ୟୁମରର ଅସ୍ତ୍ରୋପଚାର ନିମନ୍ତେ ଆର୍ଥିକ ସହାୟତା କରିବାକୁ ନିବେଦନ

କୋରାପୁଟ,ଏନ୍ଏନ୍ଏସ୍ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଅଞ୍ଚଳାଡ଼ିହୀ ଗ୍ରାମର ୨୧ ବର୍ଷୀୟା ଫୁଲମତୀ ଗଣ୍ଡଙ୍କ ପେଟରେ ହୋଇଥିବା ଟ୍ୟୁମରର ଆକାର ଦିନକୁଦିନ ବଢ଼ିବାରେ ଲାଗିଛି। ଆଉ ବର୍ତ୍ତମାନ ସେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିିଟାଲର ସ୍ତ୍ରୀ ଏବଂ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୧୦ ବର୍ଷ ହେବ ଫୁଲମତୀଙ୍କ ପେଟରେ ଟ୍ୟୁମର ଧୀରେ ଧରେ ବୃଦ୍ଧି ପାଉଥିଲା ବୋଲି ଭାଇ ଜବାହାର ଗଣ୍ଡ ସୂଚନା ଦେବା ସହ ପାଖରେ ଅର୍ଥ ଅଭାବରୁ ଭଉଣୀକୁ ଡାକ୍ତରଖାନା ନେଇ ନ ଥିଲୁ ବୋଲି ସେ ପ୍ରକାଶ କରିଥିଲେ। ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ । ପରେ ସେଠାରୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସ୍ଥିତିରେ ଡାକ୍ତର ଅସ୍ତ୍ରୋପଚାର ହେବ ବୋଲି କହୁଥିବାବେଳେ ଏଥିନିମନ୍ତେ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଆମ ପାଖରେ ଅର୍ଥ ନ ଥିବାରୁ କିପରି ଅସ୍ତ୍ରୋପଚାର ହେବ ବୋଲି ସେ ପ୍ରଶ୍ନ କରିବା ସହ ସରକାରୀ ସହାୟତା ଦାବି କରିଛନ୍ତି। ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ଅନେକ ବ୍ୟକ୍ତି ସହାୟତା ପ୍ରଦାନ କରୁଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଗରୀବ ମହିଳା ଫୁଲମତୀର ଟ୍ୟୁମର ଅସ୍ତ୍ରୋପଚାର ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।