ଝରିଗାଁ,ଏନ୍ଏନ୍ଏସ୍: ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ବେଳେ ସମୟେ ସମୟେ ଲୋକଙ୍କ ଆକୁଳ ଚିତ୍କାର ସରକାରଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଏଭଳି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ରେ ଦେଖିବାକୁ ମିଳିଛି। ବେଲଗାଁ ପଞ୍ଚାୟତ ସ୍ଥିତ ଜୁନାପାଣି ଗାଁ’ର କନକ ଦେଇ ଗଣ୍ଡ(୮୦), ଆଖିକୁ ଭଲ କରି ଦେଖାଯାଉନାହିଁ କି ଚଲା ବୁଲା କରିପାରୁ ନାହାନ୍ତି। ଆଜକୁ ୧୨ ବର୍ଷ ହେବ ସ୍ୱାମୀର ମୃତ୍ୟୁ ପରେ ତାଙ୍କର ଏକ ମାତ୍ର ପୁଅ ହିଁ ତାଙ୍କର ସାହା ଭରସା। ପୁଅ କୁଲି ମଜୁରୀ କରି ପରିବାର ଚଳାଉଥିବା ବେଳେ ତାଙ୍କ ଉପରେ ୫ ପ୍ରାଣୀ ନିର୍ଭର କରିଥାନ୍ତି। ତେବେ ସଂପ୍ରତି କରୋନା ଛାଟରେ ଏବେ ଏହି ପରିବାରଟି ଅତି ଦୟନୀୟରେ କାଳତିପାତ କରୁଛି। ଅପରପକ୍ଷରେ କନକ ଦେଇ ବିଧାବା ଏବଂ ବାର୍ଦ୍ଧକ୍ୟ ହୋଇଥିବା ବେଳେ ତାଙ୍କର ଭତ୍ତାଟିଏ ହୋଇପାରିନାହିଁ। ଏ ନେଇ ବ୍ଲକ୍ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିଲା ନାହିଁ।
ଝରିଗାଁରେ କରୋନା ମୁକାବିଲା ନେଇ ସ୍ଥାନୀୟ ସ୍ୱେଚ୍ଛା ସେବୀଙ୍କୁ ନେଇ ପଞ୍ଚାୟତ ସ୍ତରରେ କରୋନା ଯୋଦ୍ଧା ନାମକ ଏକ ହ୍ୱାଟସଆପ୍ ଗ୍ରୁପ୍ ଗଠନ ହୋଇଛି। ଏଥିରେ ପଞ୍ଚାୟତ ସ୍ତରର ସୁବିଧା ଅସୁବିଧା ସମ୍ପର୍କରେ ବ୍ଲକ୍ ପ୍ରଶାସନ ସହ ଯୋଗସୁତ୍ର ରଖିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ଏହି ସମୟରେ ବେଲଗାଁର ସ୍ୱେଚ୍ଛାସେବୀ ବୁଲୁ ଷଡଙ୍ଗୀ କନକ ଦେଇ କରୋନା ବେଳେ ସରକାରଙ୍କ ଫ୍ରି କିଚେନ ବ୍ୟବସ୍ଥାରୁ ବଞ୍ଚିତ ଥିବା ଜଣାଇଥିଲେ। ପରେ କନକ ଦେଇଙ୍କ ନିକଟକୁ ସ୍ୱେଚ୍ଛାସେବୀ କାଳିଆ ସାହୁ ଏବଂ ବୁଲୁ ଷଡଙ୍ଗୀ ପହଞ୍ଚି ତାଙ୍କ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ବୁଝିଥିଲେ। ପରେ ଏ ସମ୍ପର୍କରେ ସ୍ଥାନୀୟ ବିଡ଼ିଓ ଦେବେନ୍ଦ୍ର ବାହାଦୁର ସିଂ ଧାରୁଆଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଅଧିକାରୀ ପାର୍ଥଜିତ ମଣ୍ଡଳ କନକ ଦେଇଙ୍କ ଘରକୁ ଯାଇ ମଧୁବାବୁ ପେନସନ୍ ଯୋଜନାରେ ଏପ୍ରିଲ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ୨ ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିପରି ଝରିଗାଁ ବ୍ଲକ୍ ପ୍ରଶାସନର ତତକ୍ଷଣାତ ପଦକ୍ଷେପ ନେଇ ଝରିଗାଁ କରୋନା ଯୋଦ୍ଧାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା।