୨୦ ଦିନ ପରେ ସର୍ବସାଧାରଣ ସମ୍ମୁଖକୁ ଆସିଲେ କିମ ଜଙ୍ଗ ଉନ

ପୋଙ୍ଗୟାଙ୍ଗ,ଏଜେନ୍ସି: ଉତ୍ତରକୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ମୃତ୍ୟୁକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସେ ଶୁକ୍ରବାର ସାଧାରଣ ଜନତାଙ୍କ ସମ୍ମୁଖକୁ ଆସିଛନ୍ତି । ଉତ୍ତର କୋରିଆର ସରକାରୀ ନ୍ୟୁଜ ସଂସ୍ଥା ଏହି ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ, କିମ ୨୦ ଦିନ ପରେ ନଜର ଆସିଛନ୍ତି। ସେ ଏଠାରେ ଏକ ସାରକାରଖାନାର ନିର୍ମାଣ ଶେଷ ହେବା ପରେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରିଛନ୍ତି। ଏହା ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟବର୍ତ୍ତୀ। ଏହି ଅବସରରେ କିମଙ୍କ ଭଉଣୀ କିମ ୟୋ ଜଙ୍ଗ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ସମାରୋହର ଫଟୋକୁ ସାର୍ବଜନିକ ଭାବେ ସେୟାର କରାଯାଇ ନାହିଁ।

ଉତ୍ତର କୋରିଆର ତାନାଶାହ କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟକୁ ନେଇ ଅନିଶ୍ଚିତତାର ସ୍ଥିତି ଦେଖାଯାଇଛି। କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ, ହାର୍ଟ ସର୍ଜରୀରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ଏପ୍ରିଲ ୧୧ ପରେ ସରକାରୀ ମିଡିଆରେ ମଧ୍ୟ ଦୃଷ୍ଟିଗୋଚର ହୋଇ ନଥିଲେ। ଏହା ପରେ ତାଙ୍କର ଅପରେଶନ ହୋଇଥିଲା ବୋଲି ଦାବି ହୋଇଥିଲା। ଗଣମାଧ୍ୟମର ଖବର ଅନୁସାରେ କିମ ଜଙ୍ଗଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ଦାବି କରିବା ଅସମ୍ଭବ। କାରଣ ସେ ଉତ୍ତର କୋରିଆ ବିଶ୍ୱରୁ ସ୍ୱତନ୍ତ୍ର ରହିଛି। ସେଠାରେ ସବୁ କିଛି ଗୋପନୀୟ ରଖାଯାଇଥାଏ।