କଣ୍ଠଶିଳ୍ପୀ କେକେଙ୍କ ଅନ୍ତିମ ସଂସ୍କାର ଆଜି, କୋଲକାତାରେ କନସର୍ଟ ସମୟରେ ହୋଇଥିଲା ମୃତ୍ୟୁ

ମୁମ୍ବାଇ,ଏଜେନ୍ସି: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କେକେ ଓରଫ କୃଷ୍ଣ କୁମାର କୁନ୍ନଥଙ୍କ ଆଜି ମୁମ୍ବାଇରେ ଅନ୍ତିମ ସଂସ୍କାର ହେବ। ବୁଧବାର ତାଙ୍କର ପାର୍ଥିବ ଶରୀର କୋଲକାତାରୁ ମୁମ୍ବାଇ ପହଞ୍ଚିଛି। ଏହା ପୂର୍ବରୁ କଣ୍ଠଶିଳ୍ପୀଙ୍କ ପୋଷ୍ଟମର୍ଟମ ପରେ ପାର୍ଥିବ ଶରୀରକୁ କୋଲକାତାରେ ତୋପ ସହିତ ସ୍ୟାଲୁଟ ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।

କେକେ ଗତ ସୋମବାର କୋଲକାତାରେ ଏକ କନସର୍ଟ କରିବାକୁ ଆସିଥିଲେ। କନସର୍ଟ ପରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିଲା। ସେଠାରେ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୫୩ ବର୍ଷ ବୟସରେ କେକେଙ୍କର ପରଲୋକ ହୋଇଯାଇଛି।

ସୂଚନାଯୋଗ୍ୟ, ୨ଦିନିଆ ଗସ୍ତରେ କେକେ ସୋମବାର ଗୋଟିଏ କନସର୍ଟର ଅୟୋଜନ କରିଥିଲେ। ବିବେକାନନ୍ଦ କଲେଜରେ ସେ କାର୍ଯ୍ୟକ୍ରମ କରିଥିଲେ। କିନ୍ତୁ ଦ୍ୱିତୀୟ ଦିନ କନସର୍ଟ ପରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିଥିଲା। ଦେଖୁ ଦେଖୁ ସେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ, ଯେଉଁଠାରୁ ଆଉ କେହି ଫେରନ୍ତି ନାହିଁ।