ନାଳରେ ପଡି ମାଈ ହାତୀ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ କଂସର ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ବିରିୟାମ ଗ୍ରାମ ନିକଟରେ ଏକ ମାଈ ହାତୀ ନାଳରେ ପଡି ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ବଡ଼ରମା ଅଭୟାରଣ୍ୟ ପଟୁ ୧୩ ଟି ହାତୀର ଏକ ପଲ ଗତ କିଛିଦିନ ଧରି ବିରିୟାମ ଓ ଆଖପାଖ ଅଞ୍ଚଳରେ ବୁଲୁଥିଲେ। ଗତକାଲି ଉକ୍ତ ଗ୍ରାମ ନିକଟସ୍ଥ ନାଳ ପାର ହେଉଥିବା ସମୟରେ ଏକ ବୟସ୍କ ମାଈ ହାତୀ ନାଳ ମଧ୍ୟରେ ପଡି ଯାଇଥିଲା। ବହୁ ଚେଷ୍ଟା ପରେ ମଧ୍ୟ ହାତୀଟି ନାଳ ମଧ୍ୟରୁ ଉଠି ପାରିନଥିଲା। ଏହା ଦେଖି କେତେକ ଗ୍ରାମବାସୀ କଂସର ବନପାଳ ସୁଧାଂଶୁ ବେହେରାଙ୍କୁ ସୂଚନା ଦେଇଥିଲେ।

ସୂଚନା ପାଇ ବନ କର୍ମଚାରୀ ମାନେ ଉକ୍ତ ସ୍ଥାନକୁ ଯାଇ ହାତୀ ଟିକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ହେଲେ ସଫଳ ହୋଇପାରି ନଥିଲେ। ସୂଚନାପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ବନାଞ୍ଚଳ ଅଧିକାରୀ ଦେବବ୍ରତ ନନ୍ଦ ଓ ତିଳେଇବଣି ପ୍ରାଣୀ ଚିକିତ୍ସକ ଡାକ୍ତର ସତ୍ୟବ୍ରତ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ଆଜି ମଧ୍ୟ ବନ କର୍ମଚାରୀମାନେ ଘଟଣାସ୍ଥଳରେ ରହି ହାତୀର ଚିକିତ୍ସା ଜାରି ରଖିଥିବା ବେଳେ ଉକ୍ତ ସ୍ଥାନରେ କ୍ରେନ ପହଞ୍ଚିବା ଅସମ୍ଭବ ହେବା କାରଣରୁ ହାତୀଟିକୁ ଉଠା ଯାଇପାରୁ ନାହିଁ।

ଅନ୍ୟପଟେ ନାଳରେ ପାଣି ଥିବାରୁ ହାତୀଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ଆଶଙ୍କା ଥିବାରୁ ନାଳ ପାଣିକୁ ଅନ୍ୟତ୍ର ଡ଼ାଇଭରସନ କରାଯାଇ ଉକ୍ତ ସ୍ଥାନକୁ ଶୁଖିଲା କରାଯିବା ପାଇଁ ବନବିଭାଗ କାର୍ଯ୍ୟ ଆରମ୍ଭ କରିଥିବା ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।