ବାତ୍ୟା ‘ତାଉକତେ’ ଭୟ; କୋଭିଡ୍ ହସ୍ପିଟାଲରୁ ୫୮୦ କରୋନା ରୋଗୀଙ୍କୁ ସ୍ଥାନାନ୍ତର

ମୁମ୍ବାଇ,ଏଜେନ୍ସି: ଆସୁଛି ସାମୁଦ୍ରିକ ଝଡ ‘ତାଉକତେ’। ବାତ୍ୟାକୁ ନେଇ ଚାରିଆଡେ ଜାରି ହୋଇଛି ହାଇ ଆଲର୍ଟ। ଗୁଜୁରାଟରେ ବାତ୍ୟା ଲ୍ୟାଣ୍ଡଫଲ କରିବାକୁ ଥିବା ବେଳେ ଏହା ମୁମ୍ବାଇ ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିବାର ସମ୍ଭାବନା ରହିଛି। ତେଣୁ ମୁମ୍ବାଇର ଅନେକ ଅଞ୍ଚଳରେ ୬୦-୮୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ତଟବର୍ତ୍ତୀ ଅଞ୍ଚଳରେ ଥିବା କୋଭିଡ଼ ହସ୍ପିଟାଲ ଗୁଡିକରୁ ରୋଗୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ସୂଚନା ଅନୁସାରେ ବହନ ମୁମ୍ବାଇ କୋଭିଡ୍ କେୟାର ସେଣ୍ଟରରୁ ପ୍ରାୟ ୫୮୦ କରୋନା ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ମୁମ୍ବାଇରେ ଲକଡାଉନ ଜାରି ରହିଥିବା ବେଳେ ତଟବର୍ତ୍ତୀ ଅଞ୍ଚଳ ଗୁଡିକରୁ ଅନ୍ୟ ଲୋକମାନଙ୍କୁ କିପରି ସୁରକ୍ଷିତ ଭାବରେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ସେ ନେଇ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଧିକାରୀ ମାନେ ପ୍ରୟାସ ଆରମ୍ଭ କରିଦେଇଛନ୍ତି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବାତ୍ୟା ତାଉକତେ ୧୮ ତାରିଖରେ ଗୁଜୁରାଟରେ ସ୍ଥଳ ଭାଗ ଛୁଇଁବ ଏବଂ ଏହାର ପ୍ରଭାବରେ ମୁମ୍ବାଇରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି।