ଦେଓଗାଁ,ଏନ୍ଏନ୍ଏସ୍: ନିର୍ବାଚନ ହେବାକୁ ଆଉ ୨ଦିନ ଥିବାବେଳେ ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି । ଦେଉଳଗୁଡ଼ି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ଜଣେ ବ୍ୟକ୍ତି ଘରକୁ ଘର ବୁଲି ଶାଢ଼ୀ ବାଣ୍ଟୁଥିବା ଚର୍ଚ୍ଚା ଥମି ନ ଥିବାବେଳେ ଶନିବାର ଗମ୍ଭାରିଗୁଡ଼ା ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଶ୍ୱଶୁର ସାବୁନ ବାଣ୍ଟୁଥିବା ସମୟରେ ବିରୋଧୀଙ୍କ ହାବୁଡ଼ରେ ପଡ଼ି ହଟହଟା ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗୁଡ଼ଭେଳା ବ୍ଲକର ସମିତି ସଭ୍ୟ ପ୍ରାର୍ଥୀ ହୋଇଥିବା ଜଣେ ମହିଳାଙ୍କ ଶ୍ୱଶୁର ପଞ୍ଚାୟତର ବିଭିନ୍ନ ପଡ଼ାର ଘରକୁ ଘର ଯାଇ ସାବୁନ ବାଣ୍ଟୁଥିଲେ । ଏହି ସମୟରେ କିଛି ସ୍ଥାନୀୟ ଲୋକ ଉକ୍ତ ବ୍ୟକ୍ତି ଜଣଙ୍କୁ କାବୁ କରି ତାଙ୍କଠାରୁ ସାବୁନ ବ୍ୟାଗ ଛଡ଼ାଇ ନେଇଥିବାର ଏକ ଭିଡିଓ ଭାଇରାଲ ହେଉଛି । ଉକ୍ତ ଭିଡ଼ିଓରେ ସ୍ଥାନୀୟ ଜଣେ ବିଜେଡି ନେତା ସାବୁନ ବାଣ୍ଟିବା ପାଇଁ ପଠେଇଥିବା ବ୍ୟକ୍ତି ଜଣକ କହୁଛନ୍ତି ।