ନିଖୋଜ ପୁତ୍ରର ମୃତଦେହ ପାଇବାକୁ ୮ ମାସ ଧରି ମାଟି ଖୋଳୁଛନ୍ତି ପିତା

ଶ୍ରୀନଗର, ଏଜେନ୍ସି: ଜମ୍ମୁ-କଶ୍ମୀରରେ ନିଖୋଜ ହୋଇଥିବା ଜଣେ ଯବାନଙ୍କ ମୃତଦେହ ଠାବ କରିବାକୁ ଜଣେ ଅସହାୟ ପିତା ଆଜକୁ ୮ ମାସ ଧରି ବିଭିନ୍ନ ସ୍ଥାନରେ ମାଟି ଖୋଳି ଚାଲିଛନ୍ତି। ଆଶା ରହିଛି, ଦିନେ ନା ଦିନେ ପୁତ୍ରର ମୃତଦେହ ନିଶ୍ଚିତ ମିଳିବ। ସାକିର ମନଜୁର ନାମକ ଏହି ୨୫ ବର୍ଷୀୟ ଯୁବକ ପ୍ରାଦେଶିକ ସେନାରେ ଯବାନଭାବେ କାର୍ଯ୍ୟ କରୁଥିଲେ। ଗତବର୍ଷ ଅଗଷ୍ଟ ୨ରେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିନେଇଥିଲେ। ରକ୍ତଭିଜା ଲୁଗାପଟା ଜବତ ବ୍ୟତୀତ ସେହିଦିନଠାରୁ ସାକିରଙ୍କ ସମ୍ପର୍କରେ ସରକାର କିମ୍ବା ତାଙ୍କ ପରିବାର କୌଣସି ସୂଚନା ପାଇପାରିନାହାନ୍ତି। ତେବେ ପୁତ୍ରର ନିଖୋଜ ଘଟଣାକୁ ପିତା ମନଜୁର ଅହମ୍ମଦ ୱାଗେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେହିଦିନ ଠାରୁ ମନଜୁର ରକ୍ତଲଗା ଲୁଗାପଟା ମିଳିଥିବା ଆଖପାଖ ସ୍ଥାନକୁ ଦୈନିକ ଖୋଳୁଛନ୍ତି। ବିଗତ ୮ ମାସ ଧରି ତାଙ୍କର ଏହି ଉଦ୍ୟମ ଜାରି ରହିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସଫଳତା ମିଳିପାରିନାହିଁ। ଅଗଷ୍ଟ ୨ରେ ସାକିର ଶେଷଥର ପାଇଁ ଘରକୁ ଫୋନ କରି ଅଜଣା ସ୍ଥାନକୁ ସାଙ୍ଗମାନଙ୍କ ସହ ବୁଲି ଯାଉଥିବା ସୂଚନା ଦେଇଥିଲେ। ପରଦିନ କୁଲଗାଓଁ ଅଞ୍ଚଳରୁ ସାକିରଙ୍କ ବାଇକ୍କୁ ସମ୍ପୂର୍ଣ୍ଣ ଜଳିଯାଇଥିବା ଅବସ୍ଥାରେ ଜବତ କରାଯାଇଥିଲା। ଏହାର ଏକ ସପ୍ତାହ ପରେ ତାଙ୍କ ବାସଭବନର ୩ କିମି ଦୂର ଲାଧୁରା ନିକଟରେ ସାକିରଙ୍କ ରକ୍ତଭିଜା ସାର୍ଟପ୍ୟାଣ୍ଟ ମିଳିଥିଲା। କିଛି ଦିନ ପରେ ଜଣେ ସମ୍ପର୍କୀୟ ମନଜୁରଙ୍କୁ କହିଥିଲେ ଯେ ସାକିରଙ୍କୁ ସେ ସ୍ୱପ୍ନ ଦେଖିଛନ୍ତି ଓ ଲୁଗାପଟା ମିଳିଥିବା ସ୍ଥାନ ନିକଟରେ ତାଙ୍କୁ କବର ଦିଆଯାଇଛି ବୋଲି ସାକିର ତାଙ୍କୁ କହିଛନ୍ତି।