ପୁତ୍ରକୁ ବିକି ଅନ୍ୟତ୍ର ବିବାହ କରିଲେ ବାପା-ମା’

ମାଲକାନଗିରି,ଏନ୍ଏନ୍ଏସ୍: ବାପା ମାଆ ଥାଇ ମଧ୍ୟ ପୁଅ ଅନାଥ ହୋଇଯାଇଛି। ନିଜ ଜନ୍ମିତ ସନ୍ତାନର ଭବିଷ୍ୟତ କଥା ଭାବିଲେନି ନିଷ୍ଠୁର ବାପା-ମା’। ନିଜ ସମ୍ପର୍କକୁ ସଜାଡି ନପାରି ଅଲଗା ଅଲଗା ବିବାହ କରିବା ପୁଅକୁ ବିକି ଦେଲେ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର କିଆଙ୍ଗ ପଞ୍ଚାୟତ ଅନ୍ତର୍ଗତ ତେଲଗାବେଚା ଗ୍ରାମରେ। ସମ୍ପୃକ୍ତ ଗ୍ରାମର ଶୁକ୍ରା ଭୂମିଆ ଓ ତାଙ୍କ ସ୍ତ୍ରୀ ପୁଅ ବାସୁଦେବ ଭୂମିଆଙ୍କୁ ଅନ୍ୟତ୍ର ବିକ୍ରି କରି ବିବାହ କରିଦେଇଥିବା ଶିଶୁ ଅଭିଯୋଗ କରିଛି।

ଶିଶୁକୁ ଯାହାକୁ ବିକ୍ରି କରିଛନ୍ତି ସେଠାରେ ତାକୁ ନିର୍ଯାତନା ଦିଆଯାଉଛି। ସେଠାରେ ତାକୁ ଗାଈ ଚରାଇବାକୁ କହୁଛନ୍ତି। ମନା କଲେ ଖାଇବା ପିଇବାକୁ ଦେଉନାହାନ୍ତି ଓ ମାର ପିଟ କରୁଥିବା ୯ ବର୍ଷର ଶିଶୁ ଅଭିଯୋଗ କରିଛି। ତେବେ ନିର୍ଯାତନା ସହିନପାରି ସେ ଗତ ୪ ଦିନ ତଳେ ସଲପଦର ଗ୍ରାମକୁ ଚାଲିଆସିଥିଲା। ଶିଶୁର ଅବସ୍ଥା ଦେଖି ଗ୍ରାମର ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଖରା ନିଜ ଘରକୁ ନେଇ ଆସିଛନ୍ତି। ସେ ତାର ଦେଖାରେଖା କରୁଛନ୍ତି।

ଶିଶୁକୁ ପଚାରିଲେ ସେ ଆଉ ଗ୍ରାମକୁ ଫେରିବ ନାହିଁ ଓ ପାଠ ପଢ଼ିବ ବୋଲି କହୁଥିବା ଅଙ୍ଗନବାଡ଼ି କର୍ମୀ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ତେବେ ଶିଶୁଟି ପାଠ ପଢ଼ିବାକୁ ଚାହୁଁଥିବାରୁ ଜିଲ୍ଲା ପ୍ରଶାସନ ଶିଶୁଟିର ଲାଳନପାଳନ ସହ ପାଠ ପଢ଼ିବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।