ଡିପ ବୋରୱେଲ ଟଙ୍କା ଡିପୋଜିଟ ପାଇଁ ବ୍ୟାଙ୍କ ପିଣ୍ଡାରେ ରାତି କାଟୁଛନ୍ତି ଚାଷୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାରଙ୍କ ପକ୍ଷରୁ ଡିପ ବୋରୱେଲ ପ୍ରୋଜେକ୍ଟ ପାଇଁ ଡିସେମ୍ବର ୧୬ ତାରିଖରେ ଅନଲାଇନ ଆବେଦନ ହେବ । ସେଥିପାଇଁ ଟଙ୍କା ଜମା କରିବାକୁ ବ୍ୟାଙ୍କ ସମ୍ମୁଖରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ସହରର ୟୁନିଅନ ଓ ଆନ୍ଧ୍ର ବ୍ୟାଙ୍କରେ ଭିଡ଼ ପରିଲକ୍ଷିତ ହେଉଛି । ଏପରିକି ମଙ୍ଗଳାବର ରାତିରେ ପାଖାପାଖି ୧୦୦ ଲୋକ ବ୍ୟାଙ୍କ ବାରଣ୍ଡାରେ ରାତି ଉଜାଗର ରହି ଠିଆ ହୋଇଥିଲେ । ସହରରୁ ୬୦ କିମି ଦୂର ଉମରକୋଟରୁ ରାମଚନ୍ଦ୍ର ପନକା ନାମକ ବ୍ୟକ୍ତି ଆସିଥିବା କହିଥିଲେ । ବ୍ୟାଙ୍କ ଆଗରେ କୋଷାଗୁମୁଡ଼ା ବ୍ଲକ ସମେତ ନନ୍ଦାହାଣ୍ଡି ଆଦି ବ୍ଲକରୁ ଚାଷୀମାନେ ଆସି ବିଭିନ୍ନ ବ୍ୟାଙ୍କ ପିଣ୍ଡାରେ ଶୋଇ ସକାଳୁ ଧାଡ଼ି ଲାଗାଉଥିବା ମଧ୍ୟ ନଜର ରହିଛି । ଏଭଳି ସ୍ଥିତିରେ କେତେକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ମଧ୍ୟ ବାଧ୍ୟ କରାଯାଉଛି । କିନ୍ତୁ ସେଭିଂ ଖାତା ଖୋଲିବା ଜରୁରୀ ନୁହେଁ ବୋଲି ନିୟମ ରହିଛି । ଏସମ୍ପର୍କରେ ରାଜ୍ୟ ଉଠା ଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ ପାଢ଼ୀଙ୍କୁ ପଚାରିବାରୁ ଚଳିତ ବର୍ଷ ବହୁ ଚାଷୀ ଡିପ ବୋରୱେଲ୍ ଖୋଳିବା ପାଇଁ ସଚେତନ ହୋଇଛନ୍ତି । ଉଠା ଜଳସେଚନ ନିଗମ କେବଳ ୟୁନିଅନ ବ୍ୟାଙ୍କ ସହିତ ଅନୁବନ୍ଧିତ ଅଛି । ଜିଲ୍ଲାରେ କେବଳ ୨ଟି ୟୁନିଅନ ବ୍ୟାଙ୍କ ରହିଛି । ତେଣୁ ପ୍ରବଳ ଭିଡ଼ ହେଉଛି । ଯେଉଁ ଚାଷୀମାନେ ଡିସେମ୍ବର ୧୬ ତାରିଖ ମଧ୍ୟରେ ଅନଲାଇନ ଆବେଦନ କରିଥିବେ ସେମାନଙ୍କୁ ପରେ ବର୍ଦ୍ଧିତ ସମୟ ଦିଆଯିବ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି ।