ବନ୍ଧୁକ ସହ ପୁଅର ଫଟୋ ପୋଷ୍ଟ କରି ଫସିଲେ ବାପା, ପଞ୍ଜାବ ପୋଲିସର କାର୍ଯ୍ୟାନୁଷ୍ଠାନ

ଅମୃତସର,ଏଜେନ୍ସି: ବନ୍ଧୁକ ପରମ୍ପରାକୁ ପ୍ରଚାର କରୁଥିବା ପଞ୍ଜାବର ଅମୃତସର ସହରର ଜଣେ ୧୦ ବର୍ଷୀୟ ବାଳକଙ୍କ ନାଁରେ ଏଫ୍‌ଆଇଆର୍‌ ହୋଇଛି । ଅମୃତସର ପୋଲିସ ଉକ୍ତ ବାଳକର ବାପା ଓ ଅନ୍ୟ ଦୁଇଜଣଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି । ତେବେ ବାଳକିଟର ବାପା ଅଭିଯୋଗ କରିଛନ୍ତି ଯେ, ପୁଅ ୪ ବର୍ଷର ଥିବାବେଳେ ବନ୍ଧୁକ ସହ ଏହି ଫଟୋ ନିଆଯାଇଥିଲା ।

ସୂଚନା ଅନୁଯାୟୀ ସ୍ଥାନୀୟ କାଠୁନାଗଲ ଥାନାରେ ଜଣେ ୧୦ ବର୍ଷୀୟ ବାଳକ ନାଁରେ ମାମଲା ରୁଜୁ ହୋଇଛି । ପିଲାଟିର ବାପା ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ପିଲାଟି ବନ୍ଧୁକ ସହ ଛିଡା ହୋଇଛି କାନ୍ଧରେ ଏକ ବୁଲେଟ ବେଲ୍ଟ ରହିଛି । ସାଇବର ସେଲ୍‌ ପୋଲିସ ନିକଟରେ ଏହି ଫଟୋ ପହଞ୍ଚିବା ପରେ ଖବର ସାମ୍ନାକୁ ଆସିଛି । ତଦନ୍ତ ପରେ ପୋଲିସ ପିଲାଟିକୁ ଟ୍ରେସ୍‌ କରିଥିଲା ଓ ଘର ଠିକଣା ଖୋଜି ପାଇବା ସହ ପିଲାଟିର ବାପାଙ୍କ ନାମ ଭୁପିନ୍ଦର ବୋଲି ଜଣାପଡିଥିଲା । ଏହାପରେ ସମାନ ଘଟଣାରେ ବିକ୍ରମଜିତ ଓ ବିସରତ ନାମକ ଅ୍ୟ ଦୁଇଜଣଙ୍କ ନାଁରେ ମଧ୍ୟ ଏଫ୍‌ଆଇଆର୍‌ ହୋଇଥିବା ଜଣାପଡିଛି ।

ତେବେ ପୁରା ଘଟଣା ପରେ ପିଲାଟିର ବାପା ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି, “ଏହି ଫଟୋ ପୁଅକୁ ଯେବେ ୪ ବର୍ଷ ହୋଇଥିଲା, ନିଆଯାଇଥିଲା । ୨୦୧୫ରେ ବନ୍ଧୁକ ସହ ପୁଅର ଏହି ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାକୁ ସାଢେ ଛଅ ବର୍ଷ ହୋଇଗଲାଣି, ମାତ୍ର ଏବେ ପୁଅ ଓ ତାଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି ।”