୫୩ନଂ ଜାତୀୟ ରାଜପଥରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

ଦେବଗଡ଼/ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସେବା ସମବାୟ ସମିତିରେ ପଞ୍ଜିକୃତ ଚାଷୀ ଙ୍କ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଉ ନଥିବାରୁ ବିଭିନ୍ନ ସେବା ସମବାୟ ସମିତି ଗୁଡିକର ଚାଷୀଙ୍କ ଧାନ ବିକ୍ରି ହୋଇପାରୁ ନଥିବା ବେଳେ କେତେକ ଚାଷୀ ପାଇଥିବା ଟୋକନର ସମୟ ମଧ୍ୟ ଇତି ମଧ୍ୟରେ ଶେଷ ହୋଇଯାଇଛି। ଏନେଇ ବିଭିନ୍ନ ସେବା ସମବାୟ ସମିତିରେ ପଞ୍ଜିକୃତ ଚାଷୀମାନେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଆଜି ସକାଳୁ ରିଆମାଳ ବ୍ଲକ୍ ଅନ୍ତର୍ଗତ ତାବଡ଼ା ସେବା ସମିତିରେ ପଞ୍ଜିକୃତ ଶତାଧିକ ଚାଷୀ ସେମାନଙ୍କ ଧାନ ବିକ୍ରି ହେଉନଥିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ରେଙ୍ଗାଳବେଡା ବଜାର ଛକ ନିକଟ ଦେବଗଡ଼-ଅନଗୁଳ ୫୩ ନଂ ଜାତୀୟ ରାଜପଥରେ ଧାନବସ୍ତା ରଖି ଅବରୋଧ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଚାଷୀ ପ୍ରକାଶ କୁମାର ଆଚାର୍ଯ୍ୟଙ୍କ ମତାମତ ନେବାରୁ ଉକ୍ତ ସେବା ସମବାୟ ସମିତିରୁ ଯୋଗଣ ବିଭାଗ ପକ୍ଷରୁ ପଞ୍ଜିକୃତ ୫୩୭ ଜଣ ଚାଷୀଙ୍କ ଠାରୁ ୨୬ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ କିଣିବାର ଥିବା ବେଳେ ଏଯାଏ ୧୮ ହଜାର ୫ ଶହ କୁଇଣ୍ଟାଲ ଧାନ କିଣାଯାଇଛି। ସେହିପରି ଗତ ଜାନୁଆରୀ ୩୦ ତାରିଖ ଠାରୁ ଜାରି କରାଯାଇଥିବା ଟୋକନର ଅବଧି ଇତି ମଧ୍ୟରେ ଶେଷ ହୋଇଯାଇଛି।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ହେଁ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ଚାଷୀ ସଭାପତି ପ୍ରକାଶ କୁମାର ଆଚାର୍ଯ୍ୟ, ସମ୍ପାଦକ ପବିତ୍ର ପ୍ରଧାନ, ତାବଡ଼ା ସରପଞ୍ଚ ପାଞ୍ଜିଆ ଭୋଇଙ୍କ ନେତୃତ୍ୱରେ ଉମାକାନ୍ତ ପ୍ରଧାନ, ସମ୍ବିତ ପ୍ରଧାନ, ସୁନିଲ କୁମାର ପ୍ରଧାନ, ଧୀରେନ ପ୍ରଧାନଙ୍କ ସମେତ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି।