ଦେବଗଡ଼ରେ କମଳାର ଅଭାବୀ ବିକ୍ରୀକୁ ନେଇ ଚାଷୀ ହତାଶ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ କୁେଣ୍ଢେଇଗୋଳା, ଚଢ଼େଇମରା ଓ ବୁଢାପାଳ ପଞ୍ଚାୟତରେ ଉନ୍ନତମାନର କମଳା ଚାଷ ହୋଇଥାଏ। ଏହି ଅଞ୍ଚଳରେ ଉତ୍ପାଦିତ କମଳାର ବେଶ୍ ଚାହିଦା ରହିଥିବାରୁ ପ୍ରତ୍ୟେକ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବେପାରୀ ଆସି ଭଲ ଦରରେ କମଳା ସଂଗ୍ରହ କରିଥାନ୍ତି। ମାତ୍ର ଚଳିତ ବର୍ଷ ଲକଡାଉନ ଯୋଗୁ ବେପାରୀ ଏଠାକୁ ଆସୁନଥିବାରୁ କମଳା ଚାଷୀମାନେ ଅଭାବୀ ବିକ୍ରୀର ଶିକାର ହୋଇଛନ୍ତି। ଅନ୍ୟପଟେ ଯେଉଁ କେତେକ ବେପାରୀ ବି ଆସୁଛନ୍ତି ସେମାନେ କିଲୋପିଛା ୧୮ରୁ ୨୦ ଟଙ୍କା ଦରରେ ଦେଉଛନ୍ତି। ଫଳରେ ଆନନ୍ୟୋପାୟ ହୋଇ ଚାଷୀମାନେ ନଷ୍ଟ ହେବା ଅପେକ୍ଷା ସ୍ୱଲ୍ପ ମୂଲ୍ୟରେ କମଳା ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। କିଲୋପିଛା ୧୮ରୁ ୨୦ ଟଙ୍କାରେ କମଳା ବିକ୍ରୀ କରି ଚାଷୀମାନେ ଗୁରୁତର କ୍ଷତିର ସମ୍ମୁଖୀନ ହେବାସହ ପରିଶ୍ରମର ମୂଲ୍ୟ ମଧ୍ୟ ପାଉନାହାନ୍ତି। ଏଥିସହିତ ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ୧୮ରୁ ୨୦ ଟଙ୍କାରେ ବିକ୍ରୀ ନକଲେ କମଳାଗୁଡ଼ିକ ବିକ୍ରୀ ନହୋଇ ବଗିଚାରେ ହିଁ ପଚି ସଢ଼ି ନଷ୍ଟ ହେବା ସୁନିଶ୍ଚିତ।

ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ଉକ୍ତ ଅଞ୍ଚଳର ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଓ ଫ୍ରୁଟ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଇବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ତେଣୁ ଜିଲ୍ଲାରେ ଉପରୋକ୍ତ ଅଞ୍ଚଳର ଚାଷୀଙ୍କ ଉତ୍ପାଦିତ କମଳାର ବିକ୍ରୀ ପାଇଁ ଜିଲ୍ଲା ପ୍ରଶାସନ ଏବଂ ଉଦ୍ୟାନ ବିଭାଗ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବୀ କରିଛନ୍ତି। ଏସମ୍ପର୍କରେ ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ କିଶୋର କୁମାର ମହାଲିଙ୍ଗଙ୍କୁ ପଚାରିବାରୁ ସେ କମଳାର ଅଭାବୀ ବିକ୍ରୀ କଥାକୁ ସ୍ୱୀକାର କରିବା ସହ ସମସ୍ୟା ସମାଧାନ ପାଇଁ ଗତକାଲିଠାରୁ ଉଦ୍ୟାନ ବିଭାଗ ପକ୍ଷରୁ ଜିଲ୍ଲାର ମହଜୁଦ ଥିବା କମଳା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଚାଷୀଙ୍କ ନାମ ଓ ଫୋନ ନମ୍ବର ୱେବସାଇଟରେ ଅପଲୋଡ କରାଯାଇଥିବା ସୂଚନା ଦେଇଥିଲେ।