ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଚାଷୀଙ୍କୁ ଫସଲ ବୀମା ମିଳୁନଥିବାରୁ ପ୍ରଧାନପାଟସ୍ଥିତ ଡାକ ବଙ୍ଗଳାରେ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ସେମ ହେମ୍ରମ, ସମ୍ପାଦକ ଗୁଣନିଧି ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତା ମଞ୍ଚାସିନ ରହି ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଏହସହ ଜିଲ୍ଲାର କରଲଗା, ନୂଆଡ଼ିହି, ପଳାସମା, ଖିଲେଇ ଓ ଦନ୍ତାରୀବାହାଲ ଆଦି ୫ଟି ପଞ୍ଚାୟତର ଚାଷୀ ଫସଲ ବୀମାରୁ ବଞ୍ଚିତ ରହିଥିବା କାରଣରୁ ପ୍ରତିବାଦରେ ଆସନ୍ତା ରବିବାର ସଂଘ ପକ୍ଷରୁ ଚାଷୀ ଅଧିକାର ପଦଯାତ୍ରା କରାଯିବା ନେଇ ସୂଚନା ଦେଇଥିଲେ । ୪୫ କିମି ବ୍ୟାପି ଏହି ଚାଷୀ ଅଧିକାର ପଦଯାତ୍ରା ରିଆମାଳ ବ୍ଲକ କରଲଗା ପଞ୍ଚାୟତରୁ ଆରମ୍ଭ ହୋଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଦାବୀ ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ସଭାପତି ସେମ ହେମ୍ବ୍ରମ କହିଛନ୍ତି ।