ମଣ୍ଡିରେ ପଡିରହିଛି ଧାନ, ଚାଷୀ ଅସନ୍ତୋଷ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଓଡିଶା ସରକାରଙ୍କ ପକ୍ଷରୁ ଖରିଫ ଋତୁରେ ଅମଳ ହୋଇଥିବା ଧାନର ଉଚିତ ମୂଲ୍ୟ ଚାଷୀମାନଙ୍କୁ ମିଳିବା ନିମନ୍ତେ ମଣ୍ଡି ମାଧ୍ୟମରେ ଧାନ କିଣିବାର ବ୍ୟବସ୍ଥା କରାଯାଇଥିଲା । ମଣ୍ଡି ବ୍ୟବସ୍ଥା ରେ ସୁଧାର ଆଣିବା ନିମନ୍ତେ ଚଳିତ ବର୍ଷ ଅନଲାଇନ ଟୋକେନ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ମଣ୍ଡି ନିମନ୍ତେ ଚାଷୀଙ୍କୁ ଅନେକ ସମସ୍ୟା ହୋଇଥିବା ସହ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି।

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଲ୍ୟାମ୍ପସ ଅଧୀନରେ ଥିବା ୧୨ଟି ମଣ୍ଡିରୁ ୯ଟି ମଣ୍ଡିର ପିଟାକାଟା ମଣ୍ଡିରେ ୩୭ ଜଣ ଚାଷୀଙ୍କ ୧୯୬୩ ଧାନ ବସ୍ତା ,ଡୁଡାମେଟା ରେ ୫୪ ଜଣ ଚାଷୀଙ୍କ ୩୦୫୮ ବସ୍ତା ,ପୁରୁଣା-ଚିମ୍ଟାପଲ୍ଲୀ ରେ ୧୦୪ ଜଣ ଚାଷୀଙ୍କ ୪୪୧୭ ବସ୍ତା , ତାରଲାକୋଟା ରେ ୮୦ ଜଣ ଚାଷୀଙ୍କ ୪୮୦୫ ବସ୍ତା ,ପୋଟ୍ରେଲ ରେ ୯୨ ଜଣ ଚାଷୀଙ୍କ ୩୨୦୯ ବସ୍ତା ,କାମବେଡା ରେ ୫୩ ଜଣ ଚାଷୀଙ୍କ ୪୮୦୬ ବସ୍ତା ,କୋରୁକୋଣ୍ଡା ରେ ୫୮ ଜଣ ଚାଷୀଙ୍କ ୪୮୬୯ ବସ୍ତା, ଚିତାପାରି ରେ ୩୪ ଜଣ ଚାଷୀଙ୍କ ୨୦୪୨ ବସ୍ତା ଏବଂ ମାରିୱାଡା ରେ ୬୧ ଜଣ ଚାଷୀଙ୍କ ୩୦୨୫ ଧାନ ବସ୍ତା ସହ ସର୍ବମୋଟ ୫୮୩ ଜଣ ଚାଷୀଙ୍କ ପ୍ରାୟ ୩୨,୨୦୦ ବସ୍ତା ଧାନ ଦୀର୍ଘ ଏକ ମାସରୁ ଅଧିକ ଦିନଧରି ମଣ୍ଡି ରେ ପଡିରହିଥିବା ଉକ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି ।

ଚଳିତ ବର୍ଷ ମଣ୍ଡି ମାଧ୍ୟମରେ ଧାନ ବିକ୍ରି ନିମନ୍ତେ କୋରୁକୋଣ୍ଡା ଲ୍ୟାମ୍ପସ ଅଧୀନରେ ମୋଟ ୪୨୪୧ ଜଣ ଚାଷୀ ପଞ୍ଜୀକରଣ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩୮୦୯ ଜଣ ଚାଷୀ ମଣ୍ଡି ମାଧ୍ୟମରେ ଧାନ ବିକ୍ରି କରିଥିବା ଅନଲାଇନ ତଥା ମାଧ୍ୟମରେ ଜଣାପଡିଛି। ସୋମନାଥପୁର ମଣ୍ଡି ରେ ପ୍ରାୟ ୪୩୫୮ ବସ୍ତା ଧାନ ପଡିରହିଥିବା ଚାଷୀ ଅଭିଯୋଗ କରିଛନ୍ତି। ବାଦ ପଡିଥିବା ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ଚାଷୀ ମଣ୍ଡି ରେ ବର୍ତ୍ତମାନ ସୁଦ୍ଧା ଧାନ ବିକ୍ରି କରିନଥିବା ଅଭିଯୋଗ କରିଛନ୍ତି। ଚାଷୀଙ୍କ ବିଭିନ୍ନ ସମସ୍ୟ ନେଇ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ସହ ରାସ୍ତାରୋକ କରାଯାଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଏନେଇ ବ୍ଲକ ଯୋଗାଣ ଅଧିକାରୀ ବ୍ୟୋମକେଶ ମାଝୀ ଙ୍କୁ ଯୋଗାଯୋଗ କରିବାରୁ ମଣ୍ଡିରେ ପଡିଥିବା ଧାନ ଚାଷୀଙ୍କ ଟୋକେନ କୌଣସି କାରଣରୁ କଟିଯାଇଥିବା କହିଛନ୍ତି। ତେଣୁ ଖୁବଶୀଘ୍ର ଏହାର ସମାଧାନ କରାଯାଇ ମଣ୍ଡି ରେ ପଡି ରହିଥିବା ସମସ୍ତ ଧାନ ଉଠାଯିବା ର ବ୍ୟବସ୍ଥା କରାଯିବା ବୋଲି ସୂଚନା ଦେଇଛନ୍ତି।