ଫସଲ ବୀମା ରାଶି ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କନ୍ଧକେଲଗାଁ ଗ୍ରାମପଞ୍ଚାୟତରେ ୨୦୨୧ ମସିହାରେ ଅଳ୍ପ ବୃଷ୍ଟିପାତ ଯୋଗୁ ଫସଲ ଭଲ ହୋଇନଥିଲା । ହେଲେ ଉକ୍ତ ପଞ୍ଚାୟତର ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ବିମା ରାଶି ପ୍ରଦାନ କରାଯାଇ ନାହିଁ । େସେଥିପାଇଁ ଚାଷୀଙ୍କୁ ତୁରନ୍ତ ବିମା ରାଶି ପ୍ରଦାନ ଦାବିରେ କନ୍ଧକେଲଗାଁର ଭାଲୁ ବୁଢ଼ା କୃଷକ ସଂଗଠନ ସଭାପତି ପ୍ରମାନନ୍ଦ ଭୋଇଙ୍କ ନେତୃତ୍ୱରେ ପ୍ରମୋଦ ପଣ୍ଡା, ସନ୍ତୋଷ ଭୋଇ, ଭୀଷ୍ମ ସାହୁ, ଅଶୋକ ପାତ୍ର, ଲବ ପ୍ରଧାନ ଓ ନେପାଳ ସାହୁଙ୍କ ସମେତ ଶତାଧିକ ଚାଷୀ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ତାଲା ପକାଇ ପ୍ରତିବାଦ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ସୁରେନ୍ଦ୍ର ମେହେରଙ୍କ ଜରିଆରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । କିଛି ସମୟ ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟରେ ଉତ୍ତେଜନା ଦେଖାଦେବାରୁ ସଇଁନ୍ତଲା ଥାନାଧିକାରୀ ଅଶ୍ୱିନୀ ସାହୁ ଓ ଏଏସଆଇ ଥବିର ମହାରଣା ସମେତ ପୁଲିସ ପ୍ରଶାସନ ପହଁଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ଘଟଣା ଶାନ୍ତ ହୋଇ ପଡ଼ିଥିଲା । ତେବେ ଚାଷୀଙ୍କ ଫସଲ ବୀମା ରାଶି ତୁରନ୍ତ ପ୍ରଦାନ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ମଧ୍ୟ ଚେତାବନୀ ଦେଇଛନ୍ତି ।