ପ୍ରଥମ ଡୋଜ ଟିକା ନେଲେ ଚାଷୀ ନେତା ରାକେଶ ଟିକାୟତ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଟିକାର ପ୍ରଥମ ଡୋଜ ନେଲେ ଚାଷୀ ନେତା ରାକେଶ ଟିକାୟତ। ଦିଲ୍ଲୀ ୟୁପି ବର୍ଡର ନିକଟରେ ଥିବା କୌଶମ୍ବୀଙ୍କ ଯଶୋଦା ସୁପର ସ୍ପେସିଆଲିଟି ହସ୍ପିଟାଲରେ ଟିକା ନେଇଛନ୍ତି ଟିକାୟତ। ଭ୍ୟାକ୍ସିନ ନେବା ପରେ ତାଙ୍କୁ କିଛି ସମୟ ଯାଏଁ ନିରୀକ୍ଷଣରେ ରଖାଯାଇଥିଲା। ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ପୂର୍ବରୁ ଟିକାୟତ କହିଥିଲେ ଯେ, ଆନ୍ଦୋଳନରତ ଚାଷୀଙ୍କୁ ସରକାର ଟିକା ବଣ୍ଚନ କରିବା ସହ ଜେଲରେ ଥିବା କଏଦୀମାନଙ୍କୁ ମଧ୍ୟ ଭ୍ୟାକ୍ସିନ ଯୋଗାଇ ଦେବା ଦରକାର। ସିଂଙ୍ଘୁ ବର୍ଡରରେ ଗତ ନଭେମ୍ବର ମାସରୁ ଚାଷୀମାନେ ଆନ୍ଦୋଳନ କରିଆସୁଛନ୍ତି। ଯାହାର ନେତୃତ୍ୱ ନେଇଛନ୍ତି ରାକେଶ ଟିକାୟତ। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଏହି ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ପଞ୍ଜାବ, ହରିୟାଣା ସମେତ ଏକାଧିକ ରାଜ୍ୟର ବିଭିନ୍ନ ଚାଷୀ ସଂଗଠନ ସାମିଲ ହୋଇଛନ୍ତି।