କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ, ଟ୍ରାକ୍ଟର ଚଳାଇଲେ ରାହୁଲ

ଚଣ୍ଡିଗଡ଼,ଏଜେନ୍ସି: ପଞ୍ଜାବରେ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ‘ଖେତି ବଚାଓ ଯାତ୍ରା’ରେ ଦଳର ନେତା ରାହୁଲ ଗାନ୍ଧି ଟ୍ରାକ୍ଟର ଚଳାଇ ସାମିଲ ହେବା ଦେଖାଯାଇଛି। ଏହି ଆନ୍ଦୋଳନରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, କଂଗ୍ରେସର ରାଜ୍ୟମୁଖ୍ୟ ସୁନିଲ ଝାଖର୍ ଓ ପ୍ରଦେଶ କଂଗ୍ରେସର ଅନ୍ୟନେତାମାନେ ଭାଗ ନେଇଥିଲେ। ଏହି ଅବସରରେ ରାହୁଲ କେନ୍ଦ୍ରକୁ ଟାର୍ଗେଟ୍ କରି କୃଷି ଆଇନ ଦେଶର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଦେବ ବୋଲି ଅଭିଯୋଗ କରିଥିଲେ। ନୂଆ କୃଷି ଆଇନ ଯୋଗୁଁ ପଞ୍ଜାବ ଓ ହରିୟାଣାର କୃଷକମାନେ ବିଶେଷ କ୍ଷତିଗ୍ରସ୍ତ ହେବେ। ଏହି ସମାବେଶରେ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟେୱାଲା, ହରିଶ୍ ରାୱତ ପ୍ରମୁଖ ଯୋଗ ଦେଇଥିଲେ। ରାହୁଲ ଜିଏସ୍ଟି ପ୍ରସଙ୍ଗରେ ମଧ୍ୟ ମୋଦୀ ସରକାରଙ୍କୁ କଡା ସମାଲୋଚନା କରିଥିଲେ। ପଞ୍ଜାବ କୃଷି ଆନ୍ଦୋଳନରେ ଯୋଗ ଦେଇ ରାହୁଲ ହରିୟାଣାର ପେହୋୟା ଓ କୁରୁକ୍ଷେତ୍ରକୁ ଯାଇଥିଲେ। ସେଠାରେ ତାଙ୍କ ସହ ପ୍ରଦେଶ କଂଗ୍ରେସ ମୁଖ୍ୟ କୁମାରୀ ଶେଲଜା ମଧ୍ୟ ସାମିଲ ହୋଇଥିଲେ।