ନକଲି ପୁଲିସ ଅଧିକାରୀ ସହ ନକଲି ନାଲିବତୀ ଗାଡ଼ି ଜବତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ଟୋଲ ଗେଟରେ ଏକ ନାଲିବତୀ ଗାଡ଼ିରେ ଯାଉଥିବା ୨ ନକଲି ପୁଲିସଙ୍କୁ ଖନ୍ତାପଡ଼ା ପୁଲିସ ଗିରଫ କରିଛି । ମିଳିଥିବା ରିପୋର୍ଟ ମୁତାବକ, ଭୁବନେଶ୍ୱରରୁ ଏକ ନାଲିବତୀ ଲାଗିଥିବା ସ୍କୋର୍ପିଓ ଗାଡ଼ିରେ ୨ଜଣ ଯୁବକ ବାଲେଶ୍ୱର ଅଭିମୁଖେ ଆସୁଥିବାବେଳେ ଟୋଲ ଗେଟର ୧ ନମ୍ବର ଗେଟରେ ରୋଡ଼ ବେରିକେଡ଼ରେ ଧକ୍କା ଦେଇଥିଲେ । ଆଉ ନିଜ ପରିଚୟ ଦେଇ ଟୋଲ ଗେଟ ଫି’ ଛାଡ଼ କରିଵାକୁ କହିଥିଲେ । ମାତ୍ର ଟୋଲଗେଟ କର୍ମଚାରୀ ପରିଚୟ ପତ୍ର ଦେଖାଇବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ଟୋଲ ଗେଟ ନିକଟରେ ଥିବା ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ଖନ୍ତାପଡ଼ା ଥାନାଧିକାରୀ ପରେଶ କୁମାର ରାଉତ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ବନ୍ଧୁକ ବାହାରିବା ସହ ସେମାନେ ନକଲି ବୋଲି ଜଣା ପଡ଼ିଥିଲା। ଅନ୍ୟପଟେ ଏହି ଯୁବକଙ୍କ ସହିତ ଧସ୍ତାଧସ୍ତି ବେଳେ ସେରଗଡ଼ ଫାଣ୍ଡି ଅଧିକାରୀ ଡି. କ୍ରୀଷ୍ଣା ପିଙ୍ଗୁଆ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।