ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବ୍ରଜରାଜନଗରରେ ନକଲି ମଦ ଧରା ପଡ଼ିବା ସହ ୨ଜଣ ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବ୍ରଜରାଜନଗର ଥାନା ଏଚ ଲାଇନର ସୁନୀଲ ସିଂ ଓରଫ ବୁଲବୁଲ (୪୩) ଏବଂ ତାଙ୍କ ସହଯୋଗୀ ଷ୍ଟେସନପଡ଼ାର ସୁଦୀପ ଚନ୍ଦ୍ର ଓରଫ ରାଜୁ(୩୭) । ଏଥିସହିତ ୧୦୦ରୁ ଊର୍ଦ୍ଧ୍ୱ ଫୁଲ ସାଇଜ ହ୍ୱିସ୍କି ଜବତ ମଧ୍ୟ ଜବତ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ସନ୍ଧ୍ୟାରେ ବ୍ରଜରାଜନଗର ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଏଚ ଲାଇନ ଅଞ୍ଚଳରେ ବେଆଇନ ନିଶା କାରବାର ହେଉଥିବା ସୂଚନା ପାଇଥିଲା । ପରେ ବ୍ରଜରାଜନଗର ପୁଲିସ ଏକ ଟିମ ଗଠନ କରି ଏଚ ଲାଇନରେ ଚଢ଼ଉ କରିଥିଲା । ଏହି ସମୟରେ ପୁଲିସ ବେଆଇନ ନିଶା ସାମଗ୍ରୀ ସହ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିଲା । ଚଢ଼ଉ ସମୟରେ ସୁନୀଲଙ୍କ ଘରୁ ୭୫୦ ଏମଏଲ ବିଶିଷ୍ଟ ୧୦୧ ଟି ବ୍ଲାକହର୍ଷ ହୁଇସ୍କି ବୋତଲ , ୨ ଜାର୍କିନ ମଦ, କିଛି ଖାଲି ବୋତଲ ଓ ଠିପି ଜବତ କରାଯାଇଛି । ବର୍ତ୍ତମାନ ସମୟରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ବ୍ରଜରାଜନଗର ପୁଲିସ ସୂଚନା ଦେଇଛି ।