ବହୁମୁଖୀ ପ୍ରତିଭାର ଅଧିକାରୀ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, କୋଭିଡ ମୁକାବିଲାର ଅନନ୍ୟ ଯୋଦ୍ଧା

ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ରଞ୍ଜନ କୁମାର ଦାସ। ତାଙ୍କର ଦକ୍ଷତା କେବଳ ପ୍ରଶାସନିକ ଅଧିକାରୀରେ ସୀମିତ କହିଲେ ଭୁଲ ହେବ। ସେ ଜଣେ କଠିନ ପରିଶ୍ରମୀ, ସଂଳାପ ଲେଖକ, ସ୍ୱନାମଧନ୍ୟ କବି ମଧ୍ୟ। ତାଙ୍କ ରଚିତ ଓଡିଆ ବହି ବଙ୍ଗଳା ଏବଂ ହିନ୍ଦୀ ଭାଷାରେ ମଧ୍ୟ ଅନୁବାଦ ହୋଇଛି। ରଷିଆନ ଭାଷାର ସ୍ନାତକ ଡିଗ୍ରୀ କରିବା ସହ ଏକ ରଷିଆନ କବିତାକୁ ଓଡିଆରେ ଅନୁବାଦ କରିଛନ୍ତି। ଶ୍ରୀ ଦାସ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ୧୯୮୪ ମସିହାରେ ଓଡିଶା ପ୍ରଶାସନିକ ଅଧିକାରୀ ଭାବେ ଯୋଗଦେଇ ଥିଲେ। ଏହାପରେ ସେ ୨୦୧୭ ମସିିହାରେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ।
ଶ୍ରୀ ଦାସ ଯାଜପୁର ଜିଲ୍ଲାପାଳ ଭାବେ ଯୋଗଦେବାପରେ ଯାଜପୁର ଜିଲ୍ଲାର ବହୁବିଧ କାର୍ଯ୍ୟକରୀ ପ୍ରସଂଶାର ପାତ୍ର ହୋଇପାରିଛନ୍ତି। ବଣପାହାଡ ଘେରା ନଗଡାର ବିକାଶ ଦିଗରେ ଶ୍ରୀ ଦାସଙ୍କ ଅବଦାନ ଅତୁଳନୀୟ। ସବୁଠାରୁ ବଡକଥା ହେଲା ମହାମାରୀ କରୋନାକୁ ଭଲଭାବରେ ବୁଝି କିପରି ନିୟନ୍ତ୍ରଣ କରିହେବ ସେନେଇ ଅହରହ ଉଦ୍ୟମ କରିଥିଲେ। ବିଶେଷ କରି ଦିଲ୍ଲୀର ନିଜାମୁଦ୍ଦିନ ଜମାତ ଫେରନ୍ତାଙ୍କୁ ଚିହ୍ନଟ କରି ଯାଜପୁର ଜିଲ୍ଲାରେ କରୋନାକୁ ନିୟନ୍ତ୍ରଣରେ ରଖିବାରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ଯାଜପୁର ଜିଲ୍ଲାରେ କରୋନା ଯେଉଁଭଳି ଭାବରେ ବୃଦ୍ଧି ପାଇଥିଲା ଏବଂ ଆକ୍ରାନ୍ତ ସଂଖ୍ୟା କିଭଳି ନିୟନ୍ତ୍ରଣକୁ ଆସିପାରିଛି ସେନେଇ ତାଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର।

ଯାଜପୁର ଜିଲ୍ଲା କୋଭିଡ-୧୯ର ହଟସ୍ପଟ କିଭଳି ହେଲା ଏବଂ ଏପରି ହେବା ପଛରେ କ’ଣ ସବୁ କାରଣ ରହିଛି ?
ଉତ୍ତର- ଯାଜପୁର ଜିଲ୍ଲାର ପ୍ରାୟ ଏକଲକ୍ଷ ପ୍ରବାସୀ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ତେଲେଙ୍ଗାନା, ଗୁଜରାଟ ଓ ଦେଶର ଅନ୍ୟ କେତେକ ଅଞ୍ଚଳରୁ ଓଡ଼ିଶାକୁ ଫେରିବା ପାଇଁ ସରକାରୀ ଭାବରେ ପଞ୍ଜିକୃତ କରିଥିଲେ । ଏହି ରାଜ୍ୟଗୁଡ଼ିକୁ ପୂର୍ବରୁ କରୋନା ପାଇଁ ହଟସ୍ପଟ ଘୋଷଣା କରାଯାଇଥିଲା । କରୋନା କଟକଣା ପାଇଁ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଯାଜପୁର ଜିଲ୍ଲାର ପ୍ରବାସୀମାନେ ଅତ୍ୟନ୍ତ ଅସହାୟ ଅବସ୍ଥାରେ କାଳାତିପାତ କରୁଥିଲେ । ତେବେ ଆକଳନ ହିସାବରେ ଏହି ପ୍ରବାସୀମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୩ହଜାର ଜିଲ୍ଲାକୁ ଫେରିସାରିଛନ୍ତି । ଏହି ପ୍ରବାସୀମାନଙ୍କ ମଧ୍ୟରୁ କିଛି ଲୋକ ରାଜ୍ୟର ସୀମାନ୍ତ ଅଞ୍ଚଳରେ ଚେକିଂ ପଏଣ୍ଟକୁ ଚକ୍ମା ଦେଇ ଲୁଚିଛପି ଜିଲ୍ଲା ମଧ୍ୟରେ ପ୍ରବେଶ କରିଛନ୍ତି । ସେମାନଙ୍କୁ କରୋନା ସଂକ୍ରମିତ ଭାବରେ ଚିହ୍ନଟ କରିବା ପୂର୍ବରୁ ସେମାନେ ଏହି ଭୟଙ୍କର ଭାଇରସକୁ ଅନ୍ୟମାନଙ୍କଠାରେ ସଂକ୍ରମଣ କରାଇ ସାରିଥିଲେ।

ପ୍ରଶ୍ନ- ନିଜାମୁଦ୍ଦିନ ଜମାତ ମାନଙ୍କୁ ଏକାନ୍ତବାସରେ ରଖିବାରେ ଯାଜପୁର ଜିଲ୍ଲା ପ୍ରଶାସନ କେତେଦୂର ସଫଳ ହୋଇଛି ?
ଉତ୍ତର – ନିଜାମୁଦ୍ଦିନ ଜମାତମାନେ ଯାଜପୁର ଜିଲ୍ଲାରେ ପ୍ରବେଶ କରିଥିଲେ। ଏମାନଙ୍କର ସଂଖ୍ୟା ବହୁତି କମ୍ ଥିଲା । ଆମେ ପ୍ରତ୍ୟେକ ଜମାତଙ୍କର ବାସଗୃହ ଓ ତାଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷଣ ମାଧ୍ୟମରେ ଅତି ସହଜରେ ଚିହ୍ନଟ କରିପାରୁଥିଲୁ । ଜମାତମାନଙ୍କର ବାସଗୃହ ଥିବା ସେହି ଅଞ୍ଚଳକୁ ତ୍ୱରିତ ଭାବରେ ନିଷିଦ୍ଧାଞ୍ଚଳ ଭାବରେ ଘୋଷଣା କରିଥିଲୁ ଏବଂ ସେମାନଙ୍କୁ ଏକାନ୍ତବାସରେ ରଖିବା ପାଇଁ ବିଭିନ୍ନ ପଦକ୍ଷେପମାନ ନେଇ କରୋନା ଭାଇରସ୍ର ସଂକ୍ରମଣ ବ୍ୟାପିବାରୁ ଏହାକୁ ରୋକିବାରେ ସଫଳତା ହାସଲ କରିଥିଲୁ ।

ପ୍ରଶ୍ନ- ଯାଜପୁର ଜିଲ୍ଲାର ଅଧିକାଂଶ ବ୍ଲକ୍ରେ ଏପର୍ଯ୍ୟନ୍ତ କରୋନା ଟେଷ୍ଟ୍ ଆରମ୍ଭ କରାଯାଇନାହିଁ, ତେଣୁ ଆଶଙ୍କା କରାଯାଉଛି କି ଟେଷ୍ଟ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇପାରେ । ଏହି ସମସ୍ୟା ପାଇଁ କ’ଣ ସମାଧାନ ରହିଛି ?
ଉତ୍ତର – ଯାଜପୁର ଜିଲ୍ଲାରେ ବ୍ୟାପକ ସଂଖ୍ୟାରେ ଟେଷ୍ଟିଂ କରାଯାଉଛି । ଯଦି ଯାଜପୁର ଜିଲ୍ଲାର ଟେଷ୍ଟିଂ ସଂଖ୍ୟାକୁ ନେଇ ଆକଳନ କରାଯାଏ ତେବେ ଆମେ ଜାଣିପାରିବା ଯେ ଯାଜପୁର ଜିଲ୍ଲାର ସ୍ଥିତି ଦେଶ ଓ ରାଜ୍ୟର କରୋନା ଟେଷ୍ଟିଂ ହାରାହାରି ଠାରୁ ମଧ୍ୟ ଭଲ ରହିଛି । ଦେଶରେ ପ୍ରତି ଏକଲକ୍ଷ ଜନସଂଖ୍ୟା ମଧ୍ୟରୁ ୬୭୩ଜଣଙ୍କର ଟେଷ୍ଟିଂ କରାଯାଉଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୬୭୫ରେ ରହିଛି । ମାତ୍ର ଯାଜପୁର ଜିଲ୍ଲାର ଏହି ଟେଷ୍ଟିଂ ହାରାହାରି ୮୨୨( ପ୍ରତି ଏକ ଲକ୍ଷ ଜନସଂଖ୍ୟା ହିସାବରେ) ରହିଛି ।

ପ୍ରଶ୍ନ- ପ୍ରାପ୍ତ ସୂଚନା ଅନୁସାରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଅନ୍ତେବାସୀମାନେ ମାତ୍ର ୫-୭ଦିନର ସଙ୍ଗରୋଧରେ ବିନା ଯାଞ୍ଚରେ ସେଠାରୁ ଯିବାକୁ ସମ୍ମତି ପାଇଛନ୍ତି, ପରବର୍ତ୍ତୀ ସମୟରେ ନିଜେ କରୋନାରେ ଶିକାର ହୋଇ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରାଇଛନ୍ତି । ଏ ବାବଦରେ ଆପଣ ନିଜର ପ୍ରତିକ୍ରିୟା କ’ଣ ରଖିବେ ?
ଉତ୍ତର – ଗ୍ରାମାଞ୍ଚଳରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରମାନଙ୍କରେ କୌଣସି ସହରବାସୀଙ୍କୁ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ୧୪ଦିନ ପୂର୍ବରୁ ସେଠାରୁ ଛଡ଼ାଯାଉ ନାହିଁ । ୧୪ଦିନର କ୍ୱାରେଣ୍ଟାଇନ୍ ସେଣ୍ଟରଠାରେ ଅବସ୍ଥାନ କରିବା ପରେ ସଂପୃକ୍ତ ସହରବାସୀଙ୍କୁ ୨ହଜାର ଟଙ୍କାର ଆର୍ôଥକ ସହାୟତା ଦିଆଯାଇ ସେଣ୍ଟର ବାହାରକୁ ଯିବାକୁ ଅନୁମତି ଦିଆଯାଇଥାଏ । ଏ କ୍ଷେତ୍ରରେ ସରକାରୀ ନିର୍ଦ୍ଦେଶନାମାକୁ ଆମେ କଡ଼ାକଡ଼ି ଭାବରେ ପାଳନ କରିଛୁ ।

ପ୍ରଶ୍ନ- କରୋନା ସଂକ୍ରମଣ ସମୟରେ ଯୋଗାଣ ସାମଗ୍ରୀଗୁଡ଼ିକର ବିତରଣକୁ ଆପଣ କିପରି ନିୟନ୍ତ୍ରଣରେ ରଖିଥିଲେ ? କିଛି ଲାଭାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଡିଲରମାନେ ଦେଉଥିବା ସାମଗ୍ରୀଗୁଡ଼ିକର ପରିମାଣକୁ ବିନାକାରଣରେ ହ୍ରାସ କରାଇଛନ୍ତି । ଏଥିସହିତ କେଉଁ ସବୁ ସହାୟତା ଅଭାବୀ ଲୋକମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଛି ?
ଉତ୍ତର – ଯୋଗାଣ ସାମଗ୍ରୀଗୁଡ଼ିକର ବିତରଣ ଅତ୍ୟନ୍ତ ସୁରୁଖୁରୁରେ ତଥା ନିରପେକ୍ଷ ଭାବରେ ଯାଜପୁର ଜିଲ୍ଲାରେ ଚାଲୁଛି । ଏ ସଂକ୍ରାନ୍ତରେ ସମସ୍ତ ପିଡିଏସ୍ ଓ ସିଭିଲ୍ ସପ୍ଲାୟର ଡିଲରମାନଙ୍କୁ ଲୋକମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବାକୁ କୁହାଯାଇଛି । ତେବେ କେତେକ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଇଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହିକ୍ରମରେ କେନ୍ଦ୍ର ସରକାରଙ୍କର ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଏବଂ ରାଜ୍ୟ ସରକାରଙ୍କର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ହିତାଧିକାରୀମାନଙ୍କୁ ଚାଉଳ/ଗହମ କିଲୋ ପିଛା ଏକଟଙ୍କା ହିସାବରେ ବଣ୍ଟନ କରାଯାଇଛି । ଜୁନ୍ ମାସ ପାଇଁ ସମସ୍ତ ହିତାଧିକାରୀମାନେ ଏହି ଯୋଗାଣ ସାମଗ୍ରୀଗୁଡ଼ିକର ଲାଭ ଉଠାଇ ସାରିଛନ୍ତି । ସେହିଭଳି ପିଏମଜିକେୱାଇ ଯୋଜନା ଅଧୀନରେ ସମସ୍ତ ହିତାଧିକାରୀମାନଙ୍କୁ ମୁଣ୍ଡପିଛା ୫କେଜି ଚାଉଳ ଏବଂ ଡାଲି ୧କେଜି ପ୍ରଦାନ କରାଯାଇସାରିଛି । ଜୁନ୍ ମାସର ଦିଆଯାଇ ସରିଥିବା ବେଳେ ଜୁଲାଇ ମାସର ବଣ୍ଟନ ପ୍ରକ୍ରିୟା ଜାରି ରହିଛି ।

ପ୍ରଶ୍ନ- କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ଜଟିଳ ସ୍ଥିତିରେ ଆପଣ କ’ଣ ସବୁ ଯୋଜନାର ରୂପରେଖ ପ୍ରସ୍ତୁତ କରିଛନ୍ତି ?
ଉତ୍ତର- ଆମେ ଲୋକମାନଙ୍କ ନିକଟରେ କରୋନା ସଂକ୍ରମଣକୁ କିପରି ପ୍ରତିହତ କରାଯାଇପାରିବ ସେ ନେଇ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ଆମର ପଦାଧିକାରୀମାନେ ଗତ କିଛିମାସ ହେଲା ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାର ନିୟମକୁ କଡ଼ାକଡ଼ି ଭାବରେ ଜିଲ୍ଲାରେ ଲାଗୁ କରାଯାଇଛି ଏବଂ ଏ ନେଇ ସ୍ୱତନ୍ତ୍ର ନିରୀକ୍ଷଣ କାର୍ଯ୍ୟକ୍ରମମାନ କରାଯାଉଛି ।
ପ୍ରଶ୍ନ- କରୋନା ସଂକ୍ରମଣ ପାଇଁ ଆପଣ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ଏ ସଂକ୍ରାନ୍ତ ଅନେକଗୁଡ଼ିଏ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ଏ କ୍ଷେତ୍ରରେ ଆପଣ ନିଜର ସ୍ୱତନ୍ତ୍ର ଅନୁଭୂତିକୁ ଆମ ଆଗରେ ପ୍ରକାଶ କରିବାକୁ ଚାହିଁବେ କି ?
ଉତ୍ତର – ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଁ ସର୍ବଦା ସୃଜନାତ୍ମକ ସୃଷ୍ଟିକୁ ପ୍ରତିପାଦିତ କରିବା ଉପରେ ଗୁରୁତ୍ତ୍ୱ ଦେଇଥାଏ । କରୋନା ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟରେ ଯେତେବେଳେ ଲୋକମାନଙ୍କଠାରେ ସଚେତନତାର ବାର୍ତ୍ତା ପହଞ୍ଚାଇବାର ଆବଶ୍ୟକତା ନିହାତି ଜରୁରୀ ଥିଲା ସେତେବେଳେ କିଛି ନୂତନ ଉପାୟ ଅବଲମ୍ୱନ କରିବାକୁ ଚିନ୍ତା କରିଥିଲି । ଫଳସ୍ୱରୂପ ମୁଁ କିଛି ମୋର ସହକର୍ମୀମାନଙ୍କ ସହାୟତାରେ ଅନେକଗୁଡ଼ିଏ ଭିଡିଓ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଲୋକମାନଙ୍କୁ ପରାମର୍ଶ ଦେଇଥିଲି ଏହି କରୋନା କାଳରେ ସେମାନେ କ’ଣ ସବୁ କରିବେ ଓ କ’ଣ ସବୁ ନକରିବେ । ତେବେ ଅତ୍ୟନ୍ତ ଖୁସିର କଥା ହେଲା ମୋର ଏହି ୟୁନିକ୍ ଷ୍ଟାଇଲ୍ ଲୋକମାନଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ହୋଇଥିଲା ।