କାଳ ବୈଶାଖୀ ପ୍ରଭାବରେ କୁଣ୍ଡାପିଠା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକ ବସାଲୋଇ ପଂଚାୟତ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଆରମ୍ଭ ହୋଇଥିଲା। କିଛି କ୍ଷଣ ପାଇଁ ପବନର ବେଗ ହଠାତ ବଢ଼ିବାରୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଟାଇଲ ଛପର ଓ ଆଜବେଷ୍ଟ ଛାତ ସବୁ ଉଡ଼ି ଯାଇଥିଲା। ସେହିପରି ବିଦ୍ୟୁତ ତାର ଛିଣ୍ଡି ଯିବାରୁ ବିଜୁଳି ସରବରାହ ବିଛିନ୍ନ ହୋଇ ଯାଇଥିଲା। କେତେକ ଘର ଛାତରେ ଗଛ ଭାଙ୍ଗି ପଡ଼ିବା କାରଣରୁ ଘର ଛାତ ନଷ୍ଟ ହୋଇଥିବା ଜଣାପଡ଼ିଛି। ଗ୍ରାମର ପତ୍ର ସୁହୁଳା, ଦେବ ପ୍ରଧାନ, ବିଷ୍ଣୁ ମୁଣ୍ଡା ଓ ବିଶି ମୁଣ୍ଡାଙ୍କ ସମେତ ବହୁ ଗ୍ରାମବାସୀଙ୍କ ଘର ଓ ଗୁହାଳ ଆଦି ଭାଙ୍ଗିରୁଜି ପଡ଼ିଥିବାବେଳେ ରାସ୍ତାରେ ଗଛ ପଡ଼ି ଗମନାଗମନ ବାଧାପ୍ରାପ୍ତ ହୋଇଛି। ଆଜି ସକାଳୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉକ୍ତ ଗ୍ରାମରେ ପହଁଚି ଉପୁଡ଼ି ପଡ଼ି ଘର ଓ ରାସ୍ତାରେ ପଡ଼ିଥିବା ଗଛଗୁଡ଼ିକୁ କାଟି ଗ୍ରାମରେ ଗ୍ରାମବାସୀଙ୍କୁ ସାହାଯ୍ୟ କରୁଥିବା ଜଣାପଡ଼ିଛି। ଆଜି ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମର କ୍ଷୟକ୍ଷତି ଆକଳନ କରାଯାଉଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।